ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ ଏବଂ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ବ ଶର୍ମା ପୃଥକ୍‌ ଭାବେ ଭେଟିଛନ୍ତି।

ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବରେ ବିଜେପିର ସଙ୍କଟ-ସୁଧାରକ ହିମନ୍ତ ବିଶ୍ବ ଶର୍ମା ପ୍ରଥମେ ଜେପି ନଡ୍ଡାଙ୍କ ବାସଭବନରେ ପହଞ୍ଚିଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଦୁହିଁଙ୍କ ସହ ବିଜେପିର ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ବି ଯୋଗ ଦେଇଥିଲେ। ପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ। ପ୍ରାୟ ଘଣ୍ଟାଏ କାଳ ବୈଠକରେ ବସିବା ପରେ ହିମନ୍ତ ବିଶ୍ବ ଶର୍ମା ସେଠାରୁ ଚାଲିଯାଇଥିଲେ।

ଏହାର ଅଳ୍ପ ସମୟ ପରେ ସମ୍ପ୍ରତି ଆସମର ମୁଖ୍ୟମନ୍ତ୍ରୀ ଥିବା ସର୍ବଣାନନ୍ଦ ସୋନୋୱାଲ୍‌ ସେଠାରେ ପହଞ୍ଚିଥିଲେ।

Image Courtesy of NDTV

ନେତୃତ୍ବ ସମସ୍ୟା ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଆଲୋଚନା ଲାଗି ଉଭୟ ସୋନୋୱାଲ୍‌ ଏବଂ ଶର୍ମାଙ୍କୁ ଡକାଯାଇଥିଲା ବୋଲି କୁହାଯାଉଛି। ଗୋଷ୍ଠୀବାଦ ଏଡ଼ାଇ ଆସାମର ମୁଖ୍ୟମନ୍ତ୍ରୀ ମନୋନୟନ କରିବା ଲାଗି ବିଜେପି ଖୁବ୍‌ ବ୍ୟାକୁଳ ଥିବା କଥା ଉପରୋକ୍ତ ସୂତ୍ରରୁ ପ୍ରକାଶ।

ଶୁକ୍ରବାର ରାତିରେ ସୋନୋୱାଲ୍‌ ଓ ଶର୍ମା ପୃଥକ୍‌ ବିମାନରେ ଆସାମରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। କୁହାଯାଉଛି ଉଭୟଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଚୟନ କରିବା ବିଜେପି ପାଇଁ ଦୁଃସାଧ୍ୟ ହୋଇପାରେ।

ସୋନୋୱାଲ୍‌ ଆସାମର ଆଦିମ ଅଧିବାସୀ ସୋନୋୱାଲ୍‌-କଚାରି ସମ୍ପ୍ରଦାୟର ହୋଇଥିବା ବେଳେ ଶର୍ମା ଜଣେ ଉତ୍ତମ ପ୍ରଭାବଶାଳୀ ନେତା ତଥା ‘ଉତ୍ତରପୂର୍ବ ଡିମୋକ୍ରାଟିକ୍‌ ଆଲିଆନ୍‌ସ୍‌’ର ଆବାହକ।

ଆସାମର ମୁଖ୍ୟମନ୍ତ୍ରୀ ଚୟନ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ବିଜେପି ତା’ର ପାର୍ଲାମେଣ୍ଟାରି ବୋର୍ଡ ସହ ବୈଠକ କରିନାହିଁ। ଏହାଛଡ଼ା, ୨୦୨୧ ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିଲା।

The post ହିମନ୍ତ ଶର୍ମା ଓ ସର୍ବଣାନନ୍ଦ ସୋନୋୱାଲ୍‌ଙ୍କ ସହ ‘ବିଜେପି’ର ପୃଥକ୍‌ ଆଲୋଚନା: କିଏ ହେବେ ଆସାମର ମୁଖ୍ୟମନ୍ତ୍ରୀ! first appeared on Sambad.

from ରାଜନୀତି | Sambad https://ift.tt/3toFZF6