
ମୁହଁ ଖୋଲିଲେ କମିସନର: ମୁଖ୍ୟମନ୍ତ୍ରୀଙ୍କ ବୈଠକ ଥିବାରୁ ଯାଇପାରି ନଥିଲି
‘ମୋର ନେତାଙ୍କ ନିର୍ଦ୍ଦେଶ… ପାଣ୍ଡିଆନ୍ ସାର୍…’ ପ୍ରଭାତଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା
ପ୍ରଭାତ-ସୌଭିକଙ୍କ ବିରୋଧରେ ମାମଲା ରୁଜୁ ଦାବି କଲା ବିଜେପି
କଟକ : କଟକ ନୂଆପଡା ବାଲିସାହି ବସ୍ତିରେ କାଳବୈଶାଖୀ ଯୋଗୁଁ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା, ତାହାକୁ ନେଇ ସେଠାରେ ସୃଷ୍ଟି ହୋଇଥିବା ତୁମୁଳକାଣ୍ଡ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ଗର୍ଜନକୁ ନେଇ ଏବେ ରାଜନୀତି ଜୋର୍ ଧରିଛି।
ପ୍ରଭାତ ବିଶ୍ବାଳଙ୍କ ବିଭିନ୍ନ ବକ୍ତବ୍ୟ ଏବେ ବିଜେଡି ଭିତରେ ବି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଶ୍ରୀ ବିଶ୍ବାଳ କହିଥିଲେ, ‘ତାଙ୍କର ନେତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ୍ ସାର୍ ତାଙ୍କୁ ଡାକି ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ସଂପର୍କରେ କହିଥିଲେ। ସେ ବୁଝାବୁଝି କରିବାରୁ ବସ୍ତିବାସିନ୍ଦା ସହଜରେ ଜାଗା ଛାଡ଼ି ଚାଲିଯାଇଥିଲେ। କିନ୍ତୁ ସିଏମସି କମିସନର ତାଙ୍କ ସହିତ କୌଣସି ଆଲୋଚନା କରନ୍ତି ନାହିଁ କି କିଛି ପଚାରନ୍ତି ନାହିଁ ।’ ପ୍ରଭାତଙ୍କ ଏହିଭଳି ବକ୍ତବ୍ୟ ଏବେ ଦଳ ଭିତରେ ଆଉ ବାହାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଇତିମଧ୍ୟରେ ସିଏମସି କମିସନର ଅନନ୍ୟା ଦାସ ଗତକାଲିର ଘଟଣାକୁ ନେଇ ଆଜି ମୁହଁ ଖୋଲିଛନ୍ତି। କମିସନର କହିଛନ୍ତି ଯେ ଗତକାଲି କାଳବୈଶାଖୀ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା। ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଥିବାରୁ ସେ ବସ୍ତି ଅଞ୍ଚଳକୁ ଯାଇ ପାରିନଥିଲେ। ପରେ ତାଙ୍କୁ ଏସସିବିରେ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାକୁ ନେଇ ଦୁଇ ଘଣ୍ଟାରେ ରିପୋର୍ଟ ଦେବାକୁ କୁହାଯିବାରୁ ସେ ସେଥିରେ ବ୍ୟସ୍ତ ରହିଥିଲେ। କିନ୍ତୁ ସିଏମସିର ଡେପୁଟି କମିସନର ଓ ଅନ୍ୟ ଅଧିକାରୀଙ୍କୁ ସେ ଘଟଣାସ୍ଥଳକୁ ପଠାଇଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଧାୟକ ଏବଂ ପୂର୍ବତନ ବିଧାୟକ ଆସି କୌଣସି ଆଲୋଚନା ବା ବୈଠକ କରିବା ସଂପର୍କରେ ସେ ଅବଗତ ନ ଥିଲେ। ତାଙ୍କ ସଂପର୍କରେ ଯିଏ ଯାହା କହିଛନ୍ତି, ତାହାକୁ ନେଇ ସେ କିଛି କହିବେ ନାହିଁ। ଲୋକପ୍ରତିନିଧିଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି କମିସନର୍ କହିଛନ୍ତି।
ଅନ୍ୟପକ୍ଷରେ ଶତାଧିକ ଲୋକଙ୍କୁ ନେଇ ପ୍ରଭାତ ଓ ବିଧାୟକ ପୁଅ ସୌଭିକ୍ ଜିଲ୍ଲାପାଳଙ୍କ ଅଫିସକୁ ଯିବାଦ୍ବାରା କୋଭିଡ୍ ନିୟମର ଉଲ୍ଲଂଘନ ହୋଇଛି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ବରିଷ୍ଠ ନେତା ନୟନ ମହାନ୍ତି ଅଭିଯୋଗ କରିଛନ୍ତି ଯେ ବସ୍ତିବାସିନ୍ଦାଙ୍କୁ ଅସୁବିଧାକୁ ଠେଲି ଦେଇ ଏବେ ବାପ-ପୁଅ ଏଭଳି ନାଟକ କରୁଛନ୍ତି । ସେମାନଙ୍କ ବିରୋଧରେ କରୋନା କଟକଣା ନିୟମ ଖିଲାପ ପାଇଁ ମାମଲା ରୁଜୁ କରାଯାଉ। ଓଡ଼ିଶା ପ୍ରଗତି ମଂଚର ଆବାହକ ଶୁଭେନ୍ଦୁ ମହାନ୍ତି ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ବିଜେପି ରାଜ୍ୟ ସଂଖ୍ୟାଲଘୁ ସେଲ୍ ସଭାପତି ସିକନ୍ଦର ଅଲ୍ଲୀ ଏହି ଘଟଣା ବିଜେଡି ସରକାରରେ ନେତାଙ୍କ ଅସହାୟତାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି କହିଛନ୍ତି।
The post ପ୍ରଭାତଙ୍କୁ ନେଇ କଟକ ରାଜନୀତି ସରଗରମ first appeared on Sambad.from ରାଜନୀତି | Sambad https://ift.tt/3tHNCqj
0 Comments