ବିଜେପିର ଦାବି: ଭୋଟର ଚାହାନ୍ତି ଆମେ ଜିତୁ
ବିଜେଡି କହିଲା, ଆମେ ଜିତିବୁ
କଂଗ୍ରେସ ପ୍ରାର୍ଥୀ ନେଇ ସ୍ପଷ୍ଟ ଚିତ୍ର ଆସିନି

ଭୁବନେଶ୍ବର : ପିପିଲି ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜନୈତିକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଏହି ଉପନିର୍ବାଚନରେ କାହାକୁ ପ୍ରାର୍ଥୀ ଦେବ ତାହା ସ୍ପଷ୍ଟ ହୋଇନାହିଁ। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଏକ ଚିତ୍ର ସାମ୍ନାକୁ ଆସିପାରେ।

ଏପଟେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଦଳ ସବୁବେଳେ ପ୍ରସ୍ତୁତ ରହିଛି। ପିପିଲି ଲୋକ ଚାହାନ୍ତି ବିଜେପି ଜିତୁ। ଏହାର ଦୁଇଟି କାରଣ ରହିଛି। ଗୋଟିଏ ହେଲା ମହାରଥୀ ପରିବାରର ହିଂସାରୁ ନିର୍ବାଚନମଣ୍ଡଳୀକୁ ମୁକ୍ତି ଦେବା ଓ ଅନ୍ୟଟି ହେଲା ନରେନ୍ଦ୍ର ମୋଦୀଙ୍କ ବିକାଶଧାରାରେ ସାମିଲ ହେବା। ଅନୁକମ୍ପା ଭୋଟରେ ଆମେ ବିଶ୍ୱାସ କରୁନି। ଏବେ କେବଳ ବିଜେଡି ନୁହେଁ, କଂଗ୍ରେସ ବି ଅନୁରୂପ ସୂତ୍ରରେ ଅନୁକମ୍ପା ଭୋଟ ମାଗିବ। ଲୋକେ ଜାଣନ୍ତି, ତାହାକୁ ଭୋଟ ଦେଲେ ପିପିଲିର ବିକାଶ ହେବ।

ଅନ୍ୟପକ୍ଷରେ ପିପିଲି ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ଗତ ୧୮ ତାରିଖ ପାଇଁ ଦଳ ସମ୍ପୂର୍ଣ ପ୍ରସ୍ତୁତ ରହି କାର୍ଯ୍ୟ କରୁଥିଲା। କିନ୍ତୁ ଦୁର୍ଭାଗ୍ୟର କଥା କଂଗ୍ରେସ ପ୍ରାର୍ଥୀଙ୍କର ଦେବାନ୍ତ କାରଣରୁ ନିର୍ବାଚନ ପାଖାପାଖି ଏକମାସ ଘୁଞ୍ଚିଯାଇଛି। ହେଲେ ଦଳ ସମ୍ପୂର୍ଣ ପୂର୍ବ ପ୍ରସ୍ତୁତିରେ ରହିଛି। ପିପିଲିବାସୀ ବିଜେଡିକୁ ଭୋଟ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି। ତେଣୁ ଯେଉଁ ସମୟରେ ଭୋଟ ହେଲେ ମଧ୍ୟ ପିପିଲିବାସୀ ବିଜେଡିକୁ ହିଁ ଭୋଟ ଦେବେ। କୋଭିଡ କଟକଣା ନିୟମ ଅନୁସାରେ ଦଳ ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ କରିବ।

The post ପିପିଲି ପାଇଁ ପୁଣି ବୟାନବାଜି first appeared on Sambad.

from ରାଜନୀତି | Sambad https://ift.tt/3v4XaN2