ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ। ଗତକାଲି ପିସିସି ପକ୍ଷରୁ ପଠାଯାଇଥିବା ଶ୍ରୀ ମହାପାତ୍ରଙ୍କ ନାମ ଉପରେ ଆଜି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋହର ମାରିଛନ୍ତି। ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ଓ୍ବାସନିକ୍‌ ଏକ ପ୍ରେସ୍‌ ଇସ୍ତାହାର ଜାରି କରି ଜଣାଇଛନ୍ତି।

ପ୍ରକାଶଥାଉକି, ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କୋଭିଡ ରୋଗ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେବେଠାରୁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ନିର୍ବାଚନ କମିସନ ମେ ୧୩ ତାରିଖକୁ ସାନି ଭୋଟ ଗ୍ରହଣ ତାରିଖ ଘୋଷଣା କରିଥିଲେ। କିନ୍ତୁ ସେହିଦିନ ଇଦ୍‌-ଉଲ୍‌-ଫିତର ପର୍ବ ପଡ଼ୁଥିବାରୁ ଗତକାଲି ପୁଣିଥରେ ଏହି ଭୋଟ ଗ୍ରହଣ ତାରିଖକୁ ମେ ୧୬ ତାରିଖକୁ ଘୁଞ୍ଚାଇଛନ୍ତି। ୧୬ ତାରିଖରେ ମତଦାନ ଓ ମେ ୧୯ ତାରିଖରେ ଭୋଟ ଗଣତି କରିବା ପାଇଁ ନିର୍ବାଚନ କମିସନ ଦିନ ଧାର୍ଯ୍ୟ କରିଛନ୍ତି।

ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ପ୍ରାର୍ଥୀ ଶ୍ରୀ ମହାପାତ୍ର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗାଳ ଗ୍ରାମ ପଞ୍ଚାୟତର ଝାରପଡ଼ା ଗ୍ରାମ ବାସିନ୍ଦା। ୪୪ ବର୍ଷୀୟ ଏହି ବ୍ୟକ୍ତି କଂଗ୍ରେସର ସେବା ଦଳ ସହ ଦୀର୍ଘଦିନକୁ ଜଡ଼ିତ ଅଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟ ବି.ଏ.ଏଲ୍‌.ଏଲ୍‌.ବି। ପେଶାରେ ଜଣେ ଆଇନଜୀବୀ। ସେ ଏବେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି।

The post ପିପିଲିରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ first appeared on Sambad.

from ରାଜନୀତି | Sambad https://ift.tt/32KoK6m