
ନୂଆଦିଲ୍ଲୀ: ଆସାମ ରାଜ୍ୟ ବିଧାନସଭା ନିମନ୍ତେ ପ୍ରଚାର ଅଭିଯାନରେ ଯାଇ ବୋକାଖାଟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, କଂଗ୍ରେସ ଚା କଥାକୁ ନେଇ ରାଜନୀତି କରୁଛି।
ଚା ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିକାଶ ସଂକ୍ରାନ୍ତରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସ ଚା ଉପରେ ରାଜନୀତି କରୁଛି। କିନ୍ତୁ, ‘ଏନ୍ଡିଏ’ ସରକାର ଚା ବଗିଚା ଶ୍ରମିକମାନଙ୍କୁ ଶିକ୍ଷା, ରୋଜଗାର ଓ ଔଷଧ ଦେଇଛି। ତେଣୁ ଚା ବଗିଚାର ଶ୍ରମିକମାନଙ୍କ ପାଇଁ ଏଥର କେନ୍ଦ୍ର ବଜେଟ୍ରେ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି।
ପ୍ରଧାନମନ୍ତ୍ରୀ ପୁଣି କହିଲେ ଯେ, ଦ୍ୱିତୀୟ ଥର ଲାଗି ଆସାମରେ ‘ଏନ୍ଡିଏ’ ସରକାର କ୍ଷମତାକୁ ଆସିବ ବୋଲି ପ୍ରାୟ ସ୍ଥିର ହୋଇସାରିଛି। କଂଗ୍ରେସ ସରକାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, ’ଏନ୍ଡିଏ’ ସରକାରଙ୍କ ‘ଡବଲ୍ ଇଞ୍ଜିନ୍ ସର୍କାର୍’ ରାଜ୍ୟର ଜନସାଧାରଣଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର୍, ଏଲ୍ପିଜି, ବିଜୁଳି ଓ ମାଗଣା ସ୍ୱାସ୍ଥ୍ୟ ସେବା ଦେଉଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟର ଗଣ୍ଡାରମାନଙ୍କୁ ବଞ୍ଚାଇବାରେ ‘ଏନ୍ଡିଏ’ ସରକାର ସଫଳ ହୋଇଛି। ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଏଥିରେ ବିଫଳ ହୋଇଥିଲା।
ଉନ୍ନତ ଯୋଗାଯୋଗ ପାଇଁ ବ୍ରହ୍ମପୁତ୍ର ନଦୀରେ ୪ ଥାକିଆ ସେତୁର ବିକାଶ କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଏନ୍ଡିଏ’ ସରକାର ରାଜ୍ୟରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇଥିବା କଥା କହିବା ସହ ତୈଳ ବିଶୋଧନାଗାରର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ଉନ୍ନତ ପାଇପ୍ଲାଇନ୍ ନିମନ୍ତେ ୪୦ ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବିନିଯୋଗ କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି।
ସୂଚନାଯୋଗ୍ୟ, ଆସାମରେ ମାର୍ଚ ୨୭ରେ ପ୍ରଥମ ଓ ଏପ୍ରିଲ୍ ୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜନ କରାଯାଇଛି। ମେ ୨ ତାରିଖରେ ଭୋଟ୍ ଗଣନା ହେବ।
The post ଚା କଥାକୁ କେନ୍ଦ୍ର କରି କଂଗ୍ରେସ ରାଜନୀତି କରୁଛି: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from ରାଜନୀତି | Sambad https://ift.tt/3eV5E4G
0 Comments