କୋଲ୍‌କାତା: ବର୍ଷିୟାନ୍‌ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ କୋଲ୍‌କାତାସ୍ଥିତ ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସମବେତ ଜନତା ‘ଭାରତ ମାତାକି ଜୟ’ ଓ ‘ଜୟ ଶ୍ରୀରାମ୍‌’ ସ୍ଲୋଗାନ୍‌ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ରାଲିରେ ଫିଲ୍ମଷ୍ଟାର୍‌ ମିଥୁନଙ୍କ ଉପସ୍ଥିତି ବହୁ ବିଜେପି ସମର୍ଥକଙ୍କୁ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’କୁ ଆକର୍ଷିତ କରିଛି। ଏକଦା ‘ସିପିଆଇ(ଏମ୍‌)’ର ଘନିଷ୍ଠ ଥିବା ମିଥୁନ ଚକ୍ରବର୍ତ୍ତୀ କିଛି ବର୍ଷ ନିମନ୍ତେ ‘ତୃଣମୂଳ କଂଗ୍ରେସ’ ପକ୍ଷରୁ ରାଜ୍ୟସଭାରେ ସାଂସଦ ଥିଲେ।

Image Courtesy of NDTV

‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଏବଂ ଦଳର ଉପସଭାପତି ମୁକୁଳ ରାୟ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

ନିକଟ ଅତୀତରେ ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଏବଂ କୈଳାସ ବିଜୟବର୍ଗୀୟଙ୍କ ସହ ମିଥୁନ ଚକ୍ରବର୍ତ୍ତୀଙ୍କ ସାକ୍ଷାତ୍‌ ଯୋଗୁଁ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ରାଲିରେ ଯୋଗ ଦେବାକୁ ଇତିମଧ୍ୟରେ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ବହୁସଂଖ୍ୟକ ଜନତା ଏକତ୍ର ହୋଇଛନ୍ତି। ଏହି ନିର୍ବାଚନ ରାଲିରେ ପ୍ରାୟ ୧୦ ଲକ୍ଷ ଜନତା ଯୋଗ ଦେବେ ବୋଲି ଦିଲୀପ ଘୋଷ ଦାବି କରିଛନ୍ତି।

The post ବିଜେପିରେ ଯୋଗଦେଲେ ମିଥୁନ ଚକ୍ରବର୍ତ୍ତୀ first appeared on Sambad.



from ରାଜନୀତି – Sambad https://ift.tt/3kVIagS