କୋଲ୍କାତା: ରବିବାର ଦିନ ଆୟୋଜନ କରାଯାଇଥିବା ବିଶାଳ ନିର୍ବାଚନ ପ୍ରଚାର ରାଲିରେ ଉଦ୍ବୋଧନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ‘ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ୍’ରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା କ୍ଷଣି ଉପସ୍ଥିତ ଜନତାଙ୍କ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ମଧ୍ୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ସଭା ମଞ୍ଚକୁ ପାଛୋଟି ନେଇଥିଲେ।
କୋଲ୍କାତାରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଥିଲେ, କୋଲ୍କାତାରେ ଅବତରଣ କଲି। ଦଳର ବିଶାଳ ରାଲିରେ ଯୋଗ ଦେବାକୁ ଯାଉଛି। ଦଳର କାର୍ଯ୍ୟକର୍ତ୍ତା ଏବଂ ପଶ୍ଚିମବଙ୍ଗର ମହାନ୍ ଜନତାଙ୍କ ଗହଣକୁ ଯିବାକୁ ଚାହିଁ ବସିଛି।
ବିମାନରୁ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ କୋଲ୍କାତାର ରେସ୍କୋର୍ସରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ପୂର୍ବରୁ ଉପସ୍ଥିତ ଜନତାଙ୍କୁ ସମ୍ଭାଷଣ ଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କହିଲେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ‘ବିଜେପି’ଦ୍ୱାରା ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ତାଙ୍କର(ମିଥୁନ) ସ୍ୱପ୍ନ ସାକାର ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସାଧାରଣ ସାପ ନୁହେଁ, ମୁଁ ଗୋଟାଏ ଗୋଖର। ମୋର ଗୋଟିଏ ଦଂଶନ ଯଥେଷ୍ଟ।
ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେଉଥିବା ଏହି ରାଲିରେ ସୁରକ୍ଷା ନିମନ୍ତେ କୋଲ୍କାତା ସହରରେ ୧୫୦୦ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଛି। ସଭାସ୍ଥଳ ଉପରେ ନଜର ରଖିବାକୁ ଡ୍ରୋନ୍ କ୍ୟାମେରା ମଧ୍ୟ ମୁତୟନ କରାଯାଇଛି। ସଭା ନିମନ୍ତେ ହୋଇଥିବା ମୁଖ୍ୟ ମଞ୍ଚଟିର ଲମ୍ବ ୭୨ ଫୁଟ୍ ହୋଇଥିବା ବେଳେ ଟଲିଉଡ୍ ଅଭିନେତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନିମନ୍ତେ ୪୮ଫୁଟ୍ ଲମ୍ବ, ୨୪ ଫୁଟ୍ ଦୈର୍ଘ୍ୟ ଏବଂ ୭ ଫୁଟ୍ ଉଚ୍ଚତାବିଶିଷ୍ଟ ଆଉ ଦୁଇଟି ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯାଇଛି।
The post କୋଲ୍କାତା ରାଲିରେ ଉଦ୍ବୋଧନ ଦେବାକୁ ମଞ୍ଚରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ; ପାଛୋଟି ନେଲେ ମିଥୁନ ଚକ୍ରବର୍ତ୍ତୀ first appeared on Sambad.
from ରାଜନୀତି – Sambad https://ift.tt/2PGQwNL
0 Comments