ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି (ଗୁରୁବାର) ତୃଣମୂଳ କଂଗ୍ରେସ (ଟିଏମସି)ର ତୀବ୍ର ନିନ୍ଦା କରିବା ସହ ଏହା ଉପରେ ଖୁବ୍‌ ବର୍ଷିଛନ୍ତି। ତୃଣମୂଳ ପକ୍ଷରୁ କମିସନଙ୍କୁ ଲେଖାଯାଇଥିବା ପତ୍ର ଅସୂୟାରେ ପରିପୂର୍ଣ୍ଣ ଏବଂ ଏହା ସମ୍ବିଧାନର ମୂଳଦୁଆକୁ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି କମିସନ।

ତୃଣମୂଳ ପକ୍ଷରୁ କମିସନଙ୍କୁ ଲେଖାଯାଇଥିବା ଏହି ଚିଠିର ସ୍ୱରକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ନିର୍ବାଚନ କମିସନ କହିଛନ୍ତି, ‘ନିର୍ବାଚନ ଆଳରେ ନିର୍ବାଚନ କମିସନ ରାଜ୍ୟର ଆଇନ ଶୃଙ୍ଖଳାକୁ ନିଜ ହାତକୁ ନେଇଛନ୍ତି ଏବଂ ସମଗ୍ର ଶାସନ ବ୍ୟବସ୍ଥାକୁ ନିଜ ହାତରେ ରଖିଛନ୍ତି’ବୋଲି ମତ ଦେବା ସମ୍ପୂର୍ଣ୍ଣ ଭୁଲ ଏବଂ ‘ଅତ୍ୟନ୍ତ ଦୁର୍ଭାଗ୍ୟଜନକ।’

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ନନ୍ଦିଗ୍ରାମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଆହତ ହେବା ଘଟଣାରେ ଦଳ ଏକ ପ୍ରତିନିଧି ଦଳ ପଠାଇଥିବା ଏକ ସ୍ମାରକପତ୍ର ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ ନିର୍ବାଚନ କମିସନ ଏହା କହିଛନ୍ତି। ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ବେଳେ ମମତା ବାନାର୍ଜୀଙ୍କ ପାଦରେ ଆଘାତ ଲାଗିଥିଲା ଏବଂ ତାଙ୍କୁ କୋଲକାତା ଫେରିବାକୁ ପଡ଼ିଲା। ତାଙ୍କୁ ଚିକିତ୍ସା କରୁଥିବା  ଡାକ୍ତରମାନେ କହିଥିଲେ ଯେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ହେଲେ, ଏହି ଘଟଣା ପରେ ନନ୍ଦିଗ୍ରାମରେ ଘଟିଥିବା ଘଟଣାକୁ ନେଇ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଚାରି ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ ଏବଂ ଠେଲି ଦେଇଥିଲେ। ତାଙ୍କ ବିରୋଧରେ ଏହି ଷଡଯନ୍ତ୍ର ରଚା ଯାଇଥିଲା। ଏଥିସହ ସ୍ଥାନୀୟ ପୁଲିସ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦେଇ ନଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ।

ନିର୍ବାଚନ କମିସନ ସବୁ ସ୍ତରରୁ ଏହି ଅଭିଯୋଗ ଉପରେ ତଦନ୍ତ କଲାପରେ ଆଜି ସନ୍ଧ୍ୟାରେ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ସହ ଜଡିତ ନନ୍ଦିଗ୍ରାମ ଘଟଣା ପ୍ରକୃତରେ ଦୁର୍ଭାଗ୍ୟଜନକ। ତେବେ, ଏ ମାମଲାରେ ତୃଣମୂଳ ଦଳ ଯେପରି ଭାବେ କମିସନଙ୍କ ଉପରେ ଆରୋପ ଲଗାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ତାହା ‘ସମ୍ବିଧାନର ମୂଳଦୁଆକୁ କ୍ଷୁର୍ଣ୍ଣ କରୁଛି’।

The post ତୃଣମୂଳର ଅଭିଯୋଗକୁ ଖଣ୍ଡନ କରି ଖୁବ୍‌ ବର୍ଷିଲେ ନିର୍ବାଚନ କମିସନ କହିଲେ, ‘ସମ୍ବିଧାନର ମୂଳଦୁଆକୁ କ୍ଷୁର୍ଣ୍ଣ କରୁଛି’... first appeared on Sambad.



from ରାଜନୀତି – Sambad https://ift.tt/2OHDoYj