ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶେଷରେ କଂଗ୍ରେସ୍‌ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ଅଖିଳ ଭାରତୀୟ କଂଗ୍ରେସ୍‌ କମିଟି (ଏଆଇସିସି)ର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପିପିଲି ଉପନିର୍ବାଚନ ପାଇଁ ଅଜିତ୍‌ ମଙ୍ଗରାଜ୍‌ଙ୍କ ନାଁରେ ମୋହର୍‌ ମାରିଛନ୍ତି। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ (ପିସିସି) ପକ୍ଷରୁ ୩ ଜଣ ଜଣଙ୍କ ନାଁକୁ ସୁପାରିସ କରିଥିଲା। ଶେଷରେ ଅଜିତ୍‌ ମଙ୍ଗରାଜ୍‌ଙ୍କୁ ପ୍ରାର୍ଥୀ ଭାବେ କଂଗ୍ରେସ୍‌ ହାଇକମାଣ୍ଡ ସୋନିଆ ଗାନ୍ଧୀ ଚୟନ କରିଛନ୍ତି। ଗତ  ବିଧାନସଭା ନିର୍ବାଚନରେ କଂଗ୍ରେସ୍‌  ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ବଦଳରେ ଅଜିତ୍‌ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏଥମର ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି।

ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ଏଠାରେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଓ ବିଜେଡି ପକ୍ଷରୁ ସ୍ବର୍ଗତ ପ୍ରଦୀପ ମହରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ଆଶ୍ରିତ ପଟ୍ଟନାୟକ ଏହାରି ଭିତରେ ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ‌ବେଳେ ରୁଦ୍ରପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

The post ପିପିଲି ବିଧାନସଭା ଉପନିର୍ବାଚନ: ଅଜିତ୍‌ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/3u2MgHi