ଚେନ୍ନାଇ: ‘ଡିଏମ୍‌କେ’ର ସାଂସଦ ଏ. ରାଜା ଅଶିଷ୍ଟ ମନ୍ତବ୍ୟ ଦେଇଥିବାରୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ବେଳେ ରବିବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ ଭାବବିହ୍ଵଳ ହୋଇ କାନ୍ଦି ପକାଇଛନ୍ତି।

‘ଡିଏମ୍‌କେ’ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଏବଂ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ନେତୃତ୍ୱକୁ ତୁଳନା କରିବାକୁ ଯାଇ ଏ. ରାଜା କୁଆଡ଼େ କହିଥିଲେ ଯେ, ଷ୍ଟାଲିନ୍‌ଙ୍କ ରାଜନୈତିକ କ୍ୟାରିୟର୍‌ ହେଉଛି ‘ପୂର୍ଣ୍ଣ ପରିପକ୍ୱ ଲାଭ କରି ଜନ୍ମିଥିବା ବୈଧ ଶିଶୁଟିଏ’ ପରି। କିନ୍ତୁ, ‘ଇପିଏସ୍‌’ ହେଉଛନ୍ତି ‘ଅବୈଧ ସମ୍ପର୍କରୁ ଜାତ ଅପରିପକ୍ୱ ଶିଶୁଟିଏ’ ପରି।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାବବିହ୍ଵଳ ହୋଇ କାନ୍ଦି ପକାଇ ରବିବାର ଦିନ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ କହିଲେ, ଏଇଟା କେଡ଼େ ଅଶିଷ୍ଟ ଭାଷଣ। ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ହେଲେ ବୋଲି ସେମାନେ ଏ ଭଳି କହିବେ? ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଏ ଭଳି ହେଲେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ?

Image Courtesy of India Today

ସେ ଆହୁରି ମଧ୍ୟ କହିଲେ, ମୋ ମା ଗୋଟାଏ ଗାଁରେ ଜନ୍ମିଥିଲେ। ଜଣେ କୃଷିକାରିଣୀ ଥିବାରୁ ସେ ଦିନରାତି ଖଟୁଥିଲେ। ଏବେ ସେ ଆଉ ଇହଜଗତ୍‌ରେ ନାହାନ୍ତି। ସେ (ଏ. ରାଜା) ଦେଇଥିବା ମନ୍ତବ୍ୟ କେଡ଼େ ଅଶିଷ୍ଟ। ଏଭଳି ବ୍ୟକ୍ତି କ୍ଷମତାକୁ ଆସିଲେ ମହିଳାମାନଙ୍କର ଅବସ୍ଥା କ’ଣ ହେବ, କଳ୍ପନା କରନ୍ତୁ। ନାରୀ ଓ ମାତୃତ୍ୱ କଥାରେ ଏଭଳି ବାଜେ କଥା କହୁଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଚିତ।

ସେ ପୁଣି କହିଲେ, ଗରିବ ହେଉ କି, ଧନୀ ହେଉ, ସମାଜରେ ମା’ଙ୍କ ସ୍ଥାନ ଉଚ୍ଚରେ। ମା’ଙ୍କ ବିଷୟରେ ଯିଏ ଅଶିଷ୍ଟ କଥା କହିବ ଈଶ୍ୱର ତାଙ୍କୁ ଦଣ୍ଡ ଦେବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ସଂକ୍ରାନ୍ତରେ ଅଶିଷ୍ଟ ମନ୍ତବ୍ୟ ଦେଇଥିବାରୁ ଶନିବାର ଦିନ ‘ଏଆଇଏଡିଏମ୍‌କେ’ ଏ. ରାଜାଙ୍କ ନାମରେ ଥାନାରେ ଅଭିଯୋଗ ଦାଏର କରିଛି।

The post ‘ଡିଏମ୍‌କେ’ ସାଂସଦ ଏ. ରାଜା ‘ଅବୈଧ ସନ୍ତାନ’ କହିବାରୁ ରାଲିରେ କାନ୍ଦି ପକାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀ first appeared on Sambad.

from ରାଜନୀତି | Sambad https://ift.tt/3rvX2UL