
ନୂଆଦିଲ୍ଲୀ: ଆସାମରେ ଥିବା ମେଣ୍ଟ ଦଳ ଓ ନିଜ ଦଳର ନେତାମାନଙ୍କ ସହ ଏକାଧିକ ବୈଠକ ପରେ ଆଗାମୀ ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଆସନ ବୁଝାମଣା ଫର୍ମୁଲା ଚୂଡ଼ାନ୍ତ କରିଥିବା କୁହାଯାଉଛି।
ଏହି ଆସନ ବୁଝାମଣା ଫର୍ମୁଲା ବିଜେପି ଏବଂ ଆସାମରେ ଥିବା ତା’ର ଦୁଇ ମିତ୍ର ଦଳ ‘ଆସୋମ ଗଣ ପରିଷଦ୍’ (ଏଜିପି) ଏବଂ ‘ୟୁନାଇଟେଡ୍ ପିପୁଲ୍ସ୍ ପାର୍ଟି ଲିବେରାଲ୍’ (ୟୁପିପିଏଲ୍) ମଧ୍ୟରେ ହୋଇଛି। ବୁଝାମଣା ଅନୁସାରେ, ୧୨୬ ବିଧାନସଭା ଆସନରୁ ବିଜେପି ୯୨, ‘ଏଜିପି’ ୨୬ ଏବଂ ‘ୟୁପିପିଏଲ୍’ ୮ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଆସନ ବୁଝାମଣା ଆପାତତଃ ଚୂଡ଼ାନ୍ତ ହୋଇଥିବା କଥା ବୁଧବାର ଦିନ ବିଜେପିର ମେଣ୍ଟ ଦଳମାନେ ସୂଚନା ଦେଇଥିଲେ।
ଆହୁରି ମଧ୍ୟ ଶୁଣାଯାଉଛି ଯେ, ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ଆଲୋଚନା କରି ପ୍ରାୟ ୮୦ଟି ଆସନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି।
ତିନୋଟି ପର୍ଯ୍ୟାୟ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ମାର୍ଚ ୨୭, ଏପ୍ରିଲ୍ ୧, ଏବଂ ଏପ୍ରିଲ୍ ୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୪୭ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୯ଟି ଓ ତୃତୀୟ ପର୍ଯ୍ୟାୟରେ ୪୦ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ।
ପ୍ରଥମ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ମାର୍ଚ ୯ ଥିବାରୁ ଦିନେ ବା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ବିଜେପିସୂତ୍ରରୁ ପ୍ରକାଶ।
The post ଆସାମ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟଦଳ ସହ ବିଜେପିର ଆସନ ବୁଝାମଣା first appeared on Sambad.
from ରାଜନୀତି – Sambad https://ift.tt/3eaHLFP
0 Comments