ଭୁବନେଶ୍ବର: ଆସନ୍ତାକାଲିର ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପି ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ ଆନ୍ଦୋଳନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ସୁଦର୍ଶନ ଦାସ। ସେ କହିଛନ୍ତି ଯେ, ଆଜି ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ କଂଗ୍ରେସ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲ୍ଲାର ସଭାପତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ବୈଠକରେ ସମସ୍ତ ଜିଲ୍ଲାର ପ୍ରଭାରୀମାନେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି। ସେହିପରି କଂଗ୍ରେସ ବ୍ଳକ ଓ ଜିଲ୍ଲାସ୍ତରରେ ନୂଆ କମିଟି ଗଠନ କରିବ ବୋଲି ଜଣାପଡ଼ିଛି।

ତେଣେ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ପାଳନ କରିବ । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଏଭଳି ବନ୍ଦ ଡାକରା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି । ଆନ୍ଦୋଳନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଜାରି ରହିବ। ଏହି ସମୟରେ ଚକଅଖ ସବୁ ବନ୍ଦ ରହିବ ।

The post ଆସନ୍ତାକାଲି ଚାଷୀଙ୍କ ‘ଚକା ଜାମ୍’କୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ first appeared on Sambad.



from ରାଜନୀତି – Sambad https://ift.tt/3oNNJ0V