ଜି-୨୩ ନେତା ଦେଶବ୍ୟାପୀ ବୈଠକ କରିବେ
ମୋଦୀଙ୍କ ପାଇଁ ମୁଁ ଗର୍ବିତ: ଗୁଲାମନବୀ

ନୂଆଦିଲ୍ଲୀ : କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଏବେ ଦଳୀୟ ନେତୃତ୍ବ ବିରୋଧରେ ଖୋଲା ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଗତକାଲି ଦଳର ସାଂଗଠନିକ ଦୁର୍ବଳତା ଏବଂ ନେତୃତ୍ବ ସଙ୍କଟ ନେଇ ବରିଷ୍ଠ ନେତାମାନଙ୍କ ଉଦ୍‌ବେଗ ଦଳକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀ ‘ଜି-୨୩’ର ମଂଗୁଆଳ ଗୁଲାମନବୀ ଆଜାଦ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଗତକାଲି ଆଜାଦଙ୍କ ସମେତ ଦଳର ଅନ୍ୟ ଅସନ୍ତୁଷ୍ଟ ନେତା କପିଲ ସିବ୍ବଲ, ରାଜ ବବ୍ବର, ଭୂପିନ୍ଦର ସିଂହ ହୁଦା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ପ୍ରମୁଖ ଦଳୀୟ ନେତୃତ୍ବକୁ ଚ୍ୟାଲେଂଜ କରି ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ମତ ରଖିଥିଲେ। ରବିବାର ଦିନ ଜି-୨୩ ନେତା ଦେଶବ୍ୟାପୀ ବୈଠକ କରି ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସମର୍ଥନ ହାସଲ କରିବେ ବୋଲି ଘୋଷଣା କରିବା ପରେ ଦଳର ଚିନ୍ତା ବଢ଼ିଯାଇଛି। ଦଳୀୟ ନେତୃତ୍ବ ବିରୋଧରେ ବରିଷ୍ଠ ନେତାମାନଙ୍କ ଏଭଳି ସମାବେଶ କଂଗ୍ରେସର ଫାଟକୁ ଆହୁରି ବଢ଼ାଇ ଦେଇଛି। ଆଜି ଗୁଲାମନବୀ ଆଜାଦ ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜୀବନର ବାସ୍ତବତାକୁ ସର୍ବଦା ଲୋକଙ୍କ ସାମ୍ନାରେ ନିଷ୍ଠାର ସହ ରଖିଛନ୍ତି ଏବଂ ଅତୀତକୁ ଲୁଚାଇବାକୁ ଚେଷ୍ଟା କରନ୍ତି ନାହିଁ। ଅନଟନର ମୁକାବିଲା କରି ସେ କିଭଳି ଚା’ ବିକୁଥିଲେ ଏବଂ ବାସନ ମାଜୁଥିଲେ ସେ କଥା ସ୍ବୀକାର କରିବାରେ ପ୍ରଧାନମନ୍ତ୍ରୀ କେବେ କୁଣ୍ଠାବୋଧ କରିନାହାନ୍ତି ଏବଂ ଏଭଳି ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ଗର୍ବିତ ବୋଲି ଆଜାଦ କହିଛନ୍ତି।

ଗତକାଲି ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ସମାବେଶରେ ବରିଷ୍ଠ ନେତା କପିଲ ସିବ୍ବଲ କହିଥିଲେ ଯେ କଂଗ୍ରେସ ଏବେ ଦୁର୍ବଳ ହୋଇଯାଇଛି ଏବଂ ଏହି ଦୁର୍ବଳତା ଦଳର ଭବିଷ୍ୟତ ପାଇଁ ବିପଦର କାରଣ ପାଲଟିଛି । ଦଳ ନିଜ ନେତାଙ୍କ ରାଜନୈତିକ ଅଭିଜ୍ଞତାକୁ ବ୍ୟବହାର କରୁନାହିଁ ବୋଲି ଆଜାଦ କହିଥିବା ବେଳେ ବରିଷ୍ଠ ନେତା ମନିଷ ତିୱାରି, ଭୂପିନ୍ଦର ସିଂହ ହୁଦା, ରାଜ ବବ୍ବର ପ୍ରମୁଖ ଦଳୀୟ ନେତୃତ୍ବକୁ ଖୋଲା ସମାଲୋଚନା କରି ଝଡ଼ ସୃଷ୍ଟି କରିଛନ୍ତି। କଂଗ୍ରେସର ଏହି ନେତାମାନଙ୍କୁ ଜି-୨୩ ବୋଲି କୁହାଯାଉଛି। ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ଯେଉଁ ୨୩ ଜଣ ନେତା ପତ୍ର ଲେଖି ଦଳରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଥିଲେ ସେମାନଙ୍କ ଭିତରେ ଏହି ନେତାମାନେ ଅନ୍ତର୍ଭୁକ୍ତ।

The post କଂଗ୍ରେସରେ ଖୋଲା ବିଦ୍ରୋହ first appeared on Sambad.



from ରାଜନୀତି – Sambad https://ift.tt/3bNBwoD