ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା । ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ଘରେ ପୂଜାର୍ଚ୍ଚନା  କରିଛନ୍ତି । ଆଜି ନିର୍ବାଚନ କମିସନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ପୂଜା ଦିନତମାମ ଚାଲିଥିଲା । ଦୀର୍ଘ ୧୦ ଘଂଟାରୁ ଅଧିକ ସମୟ ଧରି ପୂଜା ହୋଇଥିଲା ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ଏହି ପୂଜା କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କୁ ପୁରୀରୁ ଗାଡ଼ି କରି କୋଲକାତା ନେଇଛନ୍ତି।

ଗତ ନିର୍ବାଚନରେ ମଧ୍ୟ ମମତା ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପରେ ନିର୍ବାଚନ ଫଳାଫଳ ସେଇଆ ହେବାରୁ, ତାଙ୍କ ପ୍ରତି ମମତାଙ୍କ ଆସ୍ଥା ବଢି ଯାଇଥିଲା । ତେବେ ଏଥର କିଏ ନିର୍ବାଚନ ଜିତିବ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ୭ ଦିନ ପରେ ସେ ଏ ନେଇ ଭବିଷ୍ୟବାଣୀ କରିବେ। ଅନ୍ୟ ପକ୍ଷରେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମମତାଙ୍କୁ ତାଙ୍କର ଶିଷ୍ୟ କହିବା ସହ ଗତ ୧୦ ବର୍ଷ ହେବ ସେ ମମତା ବାନାର୍ଜୀଙ୍କ ସହ ସଂପର୍କରେ ଅଛନ୍ତି ବୋଲି କହିଛନ୍ତି।

ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କଲିକତା ଗସ୍ତ କରି ଏହି ପୂଜା କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନରେ ଏହି ପୂଜାର୍ଚ୍ଚନା ହୋଇଛି । ମମତା ଏହି ପୂଜାର ଏକ ଛୋଟ ଭିଡିଓ ନିଜର ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି । ପୂଜା ସରିବା ସମୟରେ ହିଁ ଏପଟେ ଆରମ୍ଭ ହୋଇଥିଲା ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ଆଉ ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିଥିଲେ । ପଶ୍ଚିମ ବଙ୍ଗରେ ମାର୍ଚ୍ଚ ୨୭ ଭୋଟ ଆରମ୍ଭ ହେବ ଏବଂ ୮ଟି ପର୍ଯ୍ୟାୟରେ ମତଦାନ ହେବ । ପୂର୍ବରୁ ମଧ୍ୟ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ବାସଭବନରେ ପୂଜାର୍ଚ୍ଚନା କରନ୍ତି ।

The post ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ କେଉଁ ବରିଷ୍ଠ ସେବାୟତ ଓ ପୂଜକଙ୍କୁ ଡକାଇ ଘରେ ହୋମଯଜ୍ଞ କଲେ ମମତା ବାନାର୍ଜୀ first appeared on Sambad.



from ରାଜନୀତି – Sambad https://ift.tt/3dVBYE9