
ମୁମ୍ବାଇ: ଦେଶରେ ସର୍ବପ୍ରଥମ ଥରପାଇଁ ଗତକାଲି ଠାରୁ ପେଟ୍ରୋଲର ଲିଟର ପିଛା ଦର ୧୦୦ଟଙ୍କା ଟପିଯିବା ପରେ ଦେଶରେ ବୟାନବାଜି ରାଜନୀତି ସରଗରମ ହୋଇଉଠିଛି। ତେବେ, ପେଟ୍ରୋଲ ଦର ବୃଦ୍ଧି ଉପରେ ଏଯାବତ୍ କୌଣସି ମତ ରଖି ନଥିବାରୁ ଅଭିନେତା ବିଗ୍ ବି’ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ସମେତ ବଲିଉଡର ନାମୀଦାମୀ ସେଲିବ୍ରିଟିଙ୍କୁ ଖୋଲା ଧମକ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ।
କଂଗ୍ରେସ ନେତା ପାଟୋଲ କହଛନ୍ତି ଯେ ଗତ ଉପା ସରକାର ସମୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଯେତେବେଳେ ୭୦ ଟଙ୍କାକୁ ବୃଦ୍ଧି ପାଇଥିଲା ସେତେବେଳେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ଭଳି ତାରକାମାନେ ଖୁବ୍ ବୟାନବାଜି କରିବା ସହ ଟ୍ଵିଟ୍କରି ଏକାଧିକ ପ୍ରଶ୍ନ ପଚାରୁଥିଲେ।
କିନ୍ତୁ ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଟପି ଯାଇଥିବା ବେଳେ ସେମାନେ କାହିଁକି ଚୁପ୍ ଅଛନ୍ତି? ଏହା ସେମାନଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ଏକଛତ୍ରବାଦୀ ମୋଦୀ ସରକାରଙ୍କ ବିରୋଧରେ କହିବାକୁ ସେମାନଙ୍କର ସାହସ ନାହିଁ। ତେଣୁ, ସେମାନେ ଅକ୍ଷୟ କୁମାର ଏବଂ ବିଗ୍ ବି ଫିଲ୍ମର ସୁଟିଂକୁ ଅନୁମତି ଦେବେ ନାହିଁ।
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବ୍ୟତୀତ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୮୦୦ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଉଲ୍ଲେଖ କରିଛନ୍ତି। କରୋନାଭାଇରସ୍ ମହାମାରୀ ହେତୁ ଲୋକମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳମୂଲ୍ୟ ହ୍ରାସ ପାଇଥିବାରୁ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨୫ ଟଙ୍କା ହେବା ଉଚିତ ବୋଲି ସେ କହିଛନ୍ତି। ଯଦି ଇନ୍ଧନ ମୂଲ୍ୟ ହ୍ରାସ ନହୁଏ ତେବେ ରାଜ୍ୟ କଂଗ୍ରେସ ଏହାର ପ୍ରତିବାଦ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।
The post ବିଗ୍ ବି ଓ ଅକ୍ଷୟଙ୍କ ‘ଫିଲ୍ମର ସୁଟିଂକୁ ଅନୁମତି ଦେବିନାହିଁ’: ଧମକ ଦେଲେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ first appeared on Sambad.
from ରାଜନୀତି – Sambad https://ift.tt/3qz3ieD
0 Comments