କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲାଗିଛି ପୁଣି ଏକ ଝଟ୍‌କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମ୍‌ସିରୁ ଆଉ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି। ଦୁଇ ଥର ବିଧାୟକ ବନିଥିବା ଦୀପକ ହଲ୍‌ଧର ସୋମବାର ଟିଏମ୍‌ସିରୁ ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ତାଙ୍କୁ ପୂର୍ବରୁ ଦଳ ପକ୍ଷରୁ ଲୋକମାନଙ୍କ ପାଇଁ କାମ କରିବାର ସୁଯୋଗ ନ ଦିଆଯିବାରୁ ସେ ଖୁବ୍‌ ଶୀଘ୍ର ଦଳ ଛାଡ଼ିବେ ବୋଲି ଘୋଷଣା କରିଥିଲେ। ତେବେ ଟିଏମ୍‌ସି ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେ‌ବେ ବୋଲି ଚର୍ଚ୍ଚା ହେଉଛି। ତେବେ ସେ ଏ ସଂପର୍କରେ ସୂଚନା ଦେଇନାହାନ୍ତି।

ସେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି, ‘ମୁଁ ଦୁଇ ଥର ଧରି ବିଧାୟକ ହୋଇଛି । ମାତ୍ର ମୋତେ ଦଳ ଲୋକମାନଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉନାହିଁ। କୌଣସି ପ୍ରକାରର ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ମୋତେ ସୂଚନା ମିଳେ ନାହିଁ। ମୁଁ ମୋ ନିର୍ବାଚନମଣ୍ଡଳୀର ଲୋକ ତଥା ସମର୍ଥକଙ୍କ ନିକଟରେ କୌଣସି ଉତ୍ତର ରଖିପାରୁ ନାହିଁ। ଏହି ସବୁ କାରଣରୁ ମୁଁ ଦଳ ଛାଡ଼ିବାର ନିଷ୍ପତ୍ତି ନେଇଛି। ମୁଁ ଖୁବ୍ ଶୀଘ୍ର ଜିଲ୍ଲା ଓ ରାଜ୍ୟ ସଭାପତିଙ୍କ ନିକଟକୁ ‌ମୋର ଇସ୍ତଫା ପତ୍ର ପଠାଇବି।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟିଏମ୍‌ସିରେ ଥିବା ଦିନରୁ ହିଁ ଦୀପକ ହଲ୍‌ଧରଙ୍କର ବିଜେପି ନେତା ସୋଭନ ଚାଟାର୍ଜୀଙ୍କ ସହ ଘନିଷ୍ଠତା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ରାଜୀବ ବାନାର୍ଜୀ। ରାଜୀବ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ, ‘ମୁଁ ତୃଣମୂଳ କଂଗ୍ରେସର ସଦସ୍ୟତା ଓ ଦଳ ପକ୍ଷରୁ ମିଳିଥିବା ଅନ୍ୟ ପଦବୀରୁ ଇସ୍ତଫା ଦେଇଛି। ସମସ୍ତଙ୍କ ନିକଟରେ ମୁଁ ମୋର କୃତଜ୍ଞତା ଜଣାଉଛି। ଦଳରେ ଥିବା ବେଳେ ଯାହା ବି ଚ୍ୟାଲେଞ୍ଜ ଏବଂ ସୁଯୋଗ ମୋ‌ତେ ମିିଳିଛି ମୁଁ ସେଥିପାଇଁ କୃତଜ୍ଞ। ଦଳର ସଦସ୍ୟ ଭାବରେ ବିତାଇଥିବା ସେ ସମସ୍ତ ସମୟ ମୋ ପାଇଁ ସବୁବେଳେ ମହତ୍ତ୍ବପୂର୍ଣ୍ଣ ରହିବ।’

The post ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଟିଏମ୍‌ସିକୁ ଝଟ୍‌କା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ first appeared on Sambad.



from ରାଜନୀତି – Sambad https://ift.tt/39zOPsY