ବ୍ରହ୍ମପୁର : ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ପୁରୁଣା ଗଡ଼ ବ୍ରହ୍ମପୁରରେ ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ଶକ୍ତି ପ୍ରଦର୍ଶନ କରିଛି। ଗୋଟିଏ ମଞ୍ଚରେ ରାଜ୍ୟର ସମସ୍ତ ବରିଷ୍ଠ ନେତୃ‌ମଣ୍ଡଳୀ ଉପସ୍ଥିତ ରହି ଦଳ ବର୍ତ୍ତମାନ ଲଢ଼େଇ ଲାଗି ପ୍ରସ୍ତୁତ ଥିବା ବାର୍ତ୍ତା ଦେଇଛନ୍ତି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଏକାଧିକ କାର୍ଯ୍ୟପନ୍ଥା ଘୋଷଣା କରିଛନ୍ତି। ପଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ଟଙ୍କା ନ କମାଇଲେ ଆସନ୍ତା ଫେବ୍ରୁଆରି ୧୫ରେ ଓଡ଼ିଶା ବନ୍ଦ କରାଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।
ବିଜେପି-ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପ୍ରତି ଏନ୍‌ଏସି ଓ ମ୍ୟୁନିସିପାଲଟିରେ ମଶାଲ ଶୋଭାଯାତ୍ରା କରାଯିବ ବୋଲି ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଜେନା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ପ୍ରଭାରୀ ଡ.ଚେଲ୍ଲାକୁମାର ରାଜ୍ୟ ସରକାରଙ୍କ ମୋ’ ସରକାର ଓ ୫-ଟି ନାଁରେ ଚାଲିଥିବା ଭେଳିକିକୁ ତାତ୍ସଲ୍ୟ କରିଥିଲେ। ଆଜିର ସମାବେଶସ୍ଥଳରେ ବିଜେପିର ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା ତାଙ୍କ କର୍ମୀ, ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କୁ କୃଷି ଆଇନକୁ ବିରୋଧ କରି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଏକର ପିତଳ ଲଙ୍ଗଳ ଉପହାର ଦେଇଥିଲେ।

୧୯୨୧ ମାର୍ଚ୍ଚ ୨୯ରେ ପ୍ରଥମ ଓଡ଼ିଶା ଗସ୍ତରେ ମହାତ୍ମା ଗାନ୍ଧୀ ବ୍ରହ୍ମପୁର ଆସି ବାରାକ୍‌ ପଡ଼ିଆ(ବ୍ରହ୍ମପୁର ଷ୍ଟାଡ଼ିୟମ) ଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ପିସିସିର ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଦଳ ପକ୍ଷରୁ ଆଜି ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି। ଗୋପାଳପୁରରୁ ବିଶାଳ ଶୋଭାଯାତ୍ରା ବାହାରି ସଭାସ୍ଥଳରେ ପହଞ୍ଚିଥିଲା। ରାଲି ଆସୁଥିବା ବେଳେ ପୁଲିସ ଅଟକାଇବାରୁ କିଛି ସମୟ ଲାଗି କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ବାଙ୍କିର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ଜଣେ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ରାଜନୀତି ବ୍ୟବସାୟୀକରଣ ହୋଇଯାଇଛି। ନୈତିକ ମୂଲ୍ୟବୋଧ, ସେବା ମନୋବୃତ୍ତି ନାହିଁ। ମହାତ୍ମା ଗାନ୍ଧୀଙ୍କ ମୂଳଲକ୍ଷ୍ୟ ପଥଭ୍ରଷ୍ଟ ହୋଇଗଲାଣି। ମାଆ ଭଉଣୀମାନେ ରାତି ୧୨ଟାରେ ଏକାକୀ ବୁଲିପାରିଲେ ଭାରତ ପ୍ରକୃତ ସାଧୀନତା ପାଇଛି ବୋଲି ଅନୁଭବ ହେବ ବୋଲି ଗାନ୍ଧିଜୀ କହିଥିଲେ।

The post ଗାନ୍ଧୀଜୀଙ୍କ ତିରୋଧନ ଦିବସରେ ବ୍ରହ୍ମପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: ମୋ’ସରକାର, ୫-ଟିକୁ ଚେଲ୍ଲାକୁମାରଙ୍କ ସମାଲୋଚନା first appeared on Sambad.



from ରାଜନୀତି – Sambad https://ift.tt/3cr9Aci