କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା। ପୂର୍ବରୁ ଅନେକ ଦଳୀୟ ନେତା ଦଳ ଛାଡ଼ିଥିବା ବେଳେ ପୁଣି ଜଣେ ବିଧାୟକ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଛନ୍ତି। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ରାଜୀବ ବାନାର୍ଜୀ।

ରାଜୀବ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ମୁଁ ତୃଣମୂଳ କଂଗ୍ରେସର ସଦସ୍ୟତା ଓ ଦଳ ପକ୍ଷରୁ ମିଳିଥିବା ଅନ୍ୟ ପଦବୀରୁ ଇସ୍ତଫା ଦେଇଛି। ସମସ୍ତଙ୍କ ନିକଟରେ ମୁଁ ମୋର କୃତଜ୍ଞତା ଜଣାଉଛି। ଦଳରେ ଥିବା ବେଳେ ଯାହାବି ଚ୍ୟାଲେଞ୍ଜ ଏବଂ ସୁଯୋଗ ମୋ‌ତେ ମିିଳିଛି ମୁଁ ସେଥିପାଇଁ କୃତଜ୍ଞ। ଦଳର ସଦସ୍ୟ ଭାବରେ ବିତାଇଥିବା ସେ ସମସ୍ତ ସମୟ ମୋ ପାଇଁ ସବୁବେଳେ ମହତ୍ତ୍ବପୂର୍ଣ୍ଣ ରହିବ।’

ରାଜୀବ ବାନାର୍ଜୀ ନିକଟ ଅତୀତରେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ ଛାଡ଼ିଥିଲେ। ଦୋମଜୁର୍‌ ବିଧାନସଭା ଆସନକୁ ପ୍ରତିନିଧିତ୍ବ କରୁଥିବା ଏହି ନେତା ରାଜ୍ୟ ବିଧାନସଭାରେ ବାଚସ୍ପତି ବିମନ ବାନାର୍ଜୀଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

english.kolkata24x7.com

ଦୁଇ ଥର ବିଧାୟକ ହୋଇଥିବା ବାନାର୍ଜୀ କହିଛନ୍ତି କି ‘ରାଜ୍ୟ ବିଧାନସଭାର ବିଧାୟକ ପଦରୁ ମୁଁ ଇସ୍ତଫା ଦେଇଛି। ମୁଁ ମୋର ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେଇସାରିଛି। ଦଳରେ ରହି ସେବା କରିବାର ସୁଯୋଗ ଦେଇଥିବା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି।’ ଏହା ସହ ସେ ଆହୁରି ବି କହିଛନ୍ତି ଯେ ଆଗାମୀ ଦିନରେ ସେ ପୁନର୍ବାର ଦୋମଜୁର୍‌ ନିର୍ବାଚନମଣ୍ଡଳୀରୁ ଲୋକଙ୍କ ସେବା କରିବା ଜାରି ରଖିବି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଆଜି ରାତିରେ ୨ ଦିନିଆ ଗସ୍ତରେ ଆସି କୋଲକାତାରେ ପହଞ୍ଚିବେ। ଅନୁମାନ କରାଯାଉଛି ଯେ ରାଜୀବ ବାନାର୍ଜୀ ବିଜେପିରେ ମିଶିପାରନ୍ତି। କେବଳ ସେ ନୁହଁନ୍ତି, ନିଲମ୍ବିତ ଟିଏମ୍‌ସି ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପରା ବିଧାୟକ ପ୍ରବୀର ଘୋଷାଲ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

The post ମମତାଙ୍କୁ ପୁଣି ଝଟ୍‌କା : ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ first appeared on Sambad.



from ରାଜନୀତି – Sambad https://ift.tt/3ackBvf