ଗୋଳନ୍ଥରା : ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ପ୍ରକଳ୍ପ ବିଦ୍ୟାଳୟ ପାଚେରି ପାର୍ଶ୍ବରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ବର୍ଷ ବ୍ୟାନର୍‌କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏଭଳି ପରିସ୍ଥିତିରେ ବ୍ଲକ୍ ଉପାଧ୍ୟକ୍ଷ ଅଜିତ୍ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, ଜନବିରୋଧୀ କାର୍ଯ୍ୟ ଲାଗି ବିଧାୟକ ଦଳରୁ ବହିଷ୍କୃତ ହେବା ସହ ଟାଟା ମୋଟର୍ସରେ ଚାକିରି ପାଇଁ ଠକେଇ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ବିଧାୟକଙ୍କ ଫଟୋ ଥାଇ ‌ଯେଉଁ ବ୍ୟାନର୍‌ଟି ବ୍ଲକ୍ କାର୍ଯ୍ୟାଳୟରେ ମରାଯାଇଛି, ତାହା ବିରୋଧୀ ଦଳର ଏକ ଷଡ଼ଯନ୍ତ୍ର। ବିଜେଡିକୁ ଭାଙ୍ଗିବା ପାଇଁ ଚାଲ୍ କରାଯାଉଛି। ବିଧାୟକ ଜେଲ୍ ଯିବା ପରେ ସମସ୍ତ କର୍ମୀ ଏକତ୍ରିତ ହୋଇ ଦଳର ସ୍ଥିତିକୁ ସୁଦୃଢ଼ କରି ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିରେ ବିରୋଧୀ ଦଳ ଇର୍ଷାପରାୟଣ ହୋଇ ଘୃଣ୍ୟ ରାଜନୀତି କରି ବ୍ୟାନର୍ ମାରିଛି। ଆଉ ବିଜେଡିରେ ଫାଟ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଶ୍ରୀ ଦାସ କହିଥିଲେ।

ଅନ୍ୟପଟେ ଶ୍ରୀ ଦାସ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଆମର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ମାନିବୁ। ବିରୋଧୀ ଗୋଷ୍ଠୀ ଯେତେ ଚକ୍ରାନ୍ତ କଲେ ମଧ୍ୟ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ନରେନ୍ଦ୍ର ଦଳେଇ, ପୂର୍ବତନ ଜିଲ୍ଲା ପରିଷଦ ଦୀପକ ସାମନ୍ତ ଓ ଯୁବନେତା ଦଣ୍ଡପାଣି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ବିଧାୟକ ଜେଲ୍ ଯିବା ପରେ ଗତ ଡିସେମ୍ବର ୧୯ ତାରିଖରେ ଖଜୁରିଆ ଠାରେ ଦଳର ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ମଞ୍ଚାସୀନ ନେତା ମାନେ ଗୋପାଳପୁରର ଆଗାମୀ ବିଧାୟକ ଭାବେ ନିଜକୁ ଚିତ୍ରଣ କରିଥିଲେ। ପରବର୍ତ୍ତୀ ସମୟରେ କର୍ମୀଙ୍କୁ ନିଜ ସପକ୍ଷରେ ଆଣି ଗୋଷ୍ଠୀ ଗଠନରେ ଲାଗିପଡ଼ିଥିଲେ। ଯାହାର ପ୍ରଭାବ ଗତ ଡିସେମ୍ବର ୨୬ ତାରିଖରେ ଗୋପାଳପୁରରେ ଅନୁଷ୍ଠିତ ହୋଇଥିବା ଦଳର ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ଏଥିରେ କେବଳ ଆଶାୟୀ ମାନେ ନିଜର ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ଅନେକ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ବହୁ ପୁରୁଖା ନେତା ଅନୁପସ୍ଥିତ ଥିଲେ। ଏଥିସହ ବ୍ରହ୍ମପୁରର ଜଣେ ବିଜେଡି ନେତ୍ରୀ ୩୦ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କିଛି ପଞ୍ଚାୟତର ସମିତିସଭ୍ୟ ମାନଙ୍କୁ ନିଜ ସାଙ୍ଗରେ ନେଇ ହାଇକମାଣ୍ଡଙ୍କୁ ଭେଟିବା ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଥିଲା। ଆଉ ହଠାତ୍ ଗତ ୩୧ ତାରିଖରେ ବିଧାୟକଙ୍କ ବ୍ୟାନର୍ ଆଲୋଚନାକୁ ଖୋରାକ୍ ଯୋଗାଇଥିଲା।

The post ନୂଆ ବର୍ଷ‌ରେ ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପ୍ରଦୀପ ପାଣିଗ୍ରାହୀଙ୍କର ଯେଉଁ ବ୍ୟାନର୍‌ଟି ମରାଯାଇଛି, ତାହା ବିରୋଧୀ ଦଳର ଚାଲ୍‌: ବ୍ଲକ୍ ଉପାଧ୍ୟକ୍ଷ first appeared on Sambad.



from ରାଜନୀତି – Sambad https://ift.tt/2Lj7lvN