
ରାଜ୍ୟ ବିଜେପିରେ କେହି କାହା ବିରୋଧରେ ଖୋଲାଖୋଲି ମନ୍ତବ୍ୟ କେବେ ଦେଇ ନାହାନ୍ତି। କିନ୍ତୁ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ଫୁଟି ବାହାରୁଛି। ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗ ଧାଡ଼ିର ନେତାଙ୍କ ହାବଭାବ ଦେଖିଲେ ଏମିତି କିଛି ଆଭାସ ମିଳୁଛି। ୨୦୧୪ ମସିହାରେ ମୋଦୀ-ଶାହ କ୍ଷମତାକୁ ଆସିଲା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ଚେହେରା ପାଲଟି ଯାଇଛନ୍ତି। ୨୦୧୯ ନିର୍ବାଚନ ପରେ ମଧ୍ୟ ତାହା ବଳବତ୍ତର ରହିଛି। କିନ୍ତୁ ଆଉ କିଛି ବରିଷ୍ଠ ନେତାଙ୍କ କାର୍ଯ୍ୟଶୈଳୀ ଦଳରେ କିଛି ଠିକ୍ଠାକ୍ ଚାଲିନି ବୋଲି ସୂଚାଇ ଦେଉଛି। ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ ଓ କିଛି ଦିନ ପରେ ପୁରୁଣା ସଭାପତିଙ୍କୁ ପୁନର୍ବାର ନିଯୁକ୍ତି ଦଳୀୟ କନ୍ଦଳର ପରିଣତି ବୋଲି କାହାରିକୁ ଅଛପା ରହିଲା ନାହିଁ। ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ପରୀ ନ୍ୟାୟ ପଦଯାତ୍ରାରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ନ ଦେବା ଏହାର ଆଉ ଏକ ଉଦାହରଣ। ଅପରାଜିତାଙ୍କ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମର କିଛି ସମ୍ପର୍କ ରହୁନି ଓ ରାସ୍ତାରେ କଳା ପତାକା ଦେଖାଇବା ଯାଏ ମଧ୍ୟ କଥା ଯାଇଛି। ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ବାଟରେ ତାଙ୍କର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଓ ଯୋଜନା ସହ ତାଙ୍କର କିଛି ସମ୍ପର୍କ ରହୁ ନ ଥିବା ଦେଖିବାକୁ ମିଳୁଛି। ଦୁଇ କେନ୍ଦ୍ର ମନ୍ତ୍ରୀ ଓ ଅପରାଜିତାଙ୍କୁ ଗୋଟିଏ ମଞ୍ଚରେ କେବେ ଦେଖିବାକୁ ନ ମିଳିବା ତଳ ସ୍ତରକୁ ଭିନ୍ନ ବାର୍ତ୍ତା ଯାଉଥିବା ଆଲୋଚନା ହେଉଛି।

କଂଗ୍ରେସରେ ସେହି ପୁରୁଣା ରୋଗ
କଂଗ୍ରେସ ଦଳର ସାଂଗଠନିକ ସ୍ଥିତି ଦିନକୁ ଦିନ ଶୋଚନୀୟ ହେଉଥିଲେ ବି ଦଳୀୟ କନ୍ଦଳ ସବୁବେଳେ ଚର୍ଚ୍ଚାରେ ରହୁଛି। ପରୀ ପ୍ରସଙ୍ଗରେ ଦଳର ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସୁର ରାଉତରାୟ ଖୋଲାଖୋଲି ଭାବେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ମିଶ୍ର କହିବାରୁ ଆମେ ବିଧାନସଭାରେ ନିରବ ହୋଇଗଲୁ ଓ ବିଜେପି ମାଇଲେଜ୍ ନେଲା ବୋଲି ଉଭୟ କହିଲେ। ଏହା ପରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଏଥିରେ ହସ୍ତକ୍ଷେପ କରିଥିଲେ ଓ ବୁଝାମଣା କରି ବିବାଦକୁ ସେତିକିରେ ଅଟକାଇଦେଲେ। ସେହିପରି ଉପନିର୍ବାଚନରେ କଂଗ୍ରେସର ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନକୁ ନେଇ ମଧ୍ୟ ଦଳୀୟ ନେତାମାନେ ପରସ୍ପରକୁ ଦୋଷାରୋପ କରିଥିଲେ।
ତିନି ଦଳରେ ନବକଳେବର
୨୦୨୦ରେ ତିନି ପ୍ରମୁଖ ଦଳର ସାଂଗଠନିକ ପୁନର୍ବିନ୍ୟାସ ହୋଇଥିଲା। ଲଗାତର ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ ଦଳକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ରାସ୍ତା ଖୋଲିଥିଲେ। ସବୁ ଶାଖାରେ ବ୍ୟାପକ ଅଦଳବଦଳ କରାଯାଇଥିଲା। ଯୁବ ଓ ଛାତ୍ର ଶାଖାର ନେତୃତ୍ବ ବଦଳିଲେ। ସେହିପରି ରାଜ୍ୟ ବିଜେପିର ମଙ୍ଗ ଧରିଲେ ବରିଷ୍ଠ ନେତା ସମୀର ମହାନ୍ତି। ପୁଣି ବର୍ଷ ଶେଷ ଆଡ଼କୁ ବିଜେପି ପ୍ରଭାରୀ ବି ବଦଳିଲେ। ଦୀର୍ଘ ଦିନ ଧରି ପ୍ରଭାରୀ ଥିବା ଅରୁଣ ସିଂହଙ୍କ ବଦଳରେ ଡି ପୁରନ୍ଦେଶ୍ବରୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦିଆଗଲା। ସେମିତି କଂଗ୍ରେସରେ ବି ରାଜ୍ୟ ପ୍ରଭାରୀ ବଦଳିଛନ୍ତି। ଚେଲାକୁମାରଙ୍କୁ ନୂଆ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି। ହେଲେ ପିସିସି ସଭାପତି ପରିବର୍ତ୍ତନ ନ ହୋଇଥିଲେ ବି ଯୁବ ଓ ଛାତ୍ର ଶାଖାରେ ନୂଆ ନେତୃତ୍ବଙ୍କୁ ଦାୟିତ୍ବ ଦିଆଯାଇଛି।

ଦିଲ୍ଲୀ ଆଭିମୁଖ୍ୟରେ ପରିବର୍ତ୍ତନ
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି-ବିଜେପି ପରସ୍ପର ପ୍ରତି ନରମ ମନୋଭାବ ପୋଷଣ କରି ଆସୁଥିଲେ। ସରକାରର ବର୍ଷ ପୂର୍ତି ପରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ଲାଗି ସଜବାଜ ଚଳାଇଥିଲେ ବି ଅତ୍ୟନ୍ତ ନିର୍ଲିପ୍ତ ଥିଲେ ବିଜେ଼ଡି ମୁଖିଆ। କେନ୍ଦ୍ରକୁ ଅଯାଚିତ ଭାବେ ସହଯୋଗର ହାତ ବଢ଼ାଇଥିଲେ। ଏଥି ପାଇଁ ଉଭୟ ଦଳ ଢେର୍ ସମାଲୋଚନା ସାମ୍ନା କରିଛନ୍ତି। ପ୍ରତି କଥାରେ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବିଜେଡିର ସ୍ବର ପୂରା ଦବି ଯାଇଥିଲା। କେନ୍ଦ୍ର ବିରୋଧୀ ନାରା ନିଷ୍ପ୍ରଭ ହୋଇଯାଇଥିଲା ରାଜଧାନୀ ରାଜରାସ୍ତାରେ।
ହେଲେ ବର୍ଷ ଶେଷକୁ ହଠାତ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସମସ୍ତଙ୍କୁ ଚକିଚ କରିଥିଲେ ନବୀନ। ହଟଚମଟ ସୃଷ୍ଟି ହୋଇଥିଲା ରାଜ୍ୟ ରାଜନୀତିରେ। ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଦୋହରାଇଥିଲେ। ଓଡ଼ିଶାର ହକ୍ ପାଇଁ କେନ୍ଦ୍ର ବିରୋଧରେ ନିରନ୍ତର ଲଢ଼େଇ ଚାଲିବ ବୋଲି ଘୋଷଣା କରିଥିଲେ। ନୂଆବର୍ଷରେ କେନ୍ଦ୍ର ବିରୋଧରେ ଶାଣିତ ଲଢେଇ ପାଇଁ ଛାତ୍ର, ଯୁବ ଓ ଛାମୁଆ ସଂଗଠନକୁ ଆହ୍ବାନ ଦେଇଥିଲେ ବିଜେଡି ମୁଖିଆ।
ନବୀନ ନିବାସରୁ ରାଜ୍ୟ ଶାସନ
କରୋନା ସଂକ୍ରମଣ ପରେ ରାଜ୍ୟରେ ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିଲା। ରାଜ୍ୟରେ ଜନଜୀବନ ଏକ ପ୍ରକାର ସ୍ଥିର ହୋଇଯାଇଥିଲା। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଥିେଲ। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରୁ ରାଜ୍ୟ ଶାସନ କରିବା ଘଟଣା ଉଲ୍ଲେଖନୀୟ ଥିଲା। ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ପ୍ରତିଦିନ ବୈଠକ କରି କରୋନା ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେଲେ। କେନ୍ଦ୍ର ସହ ଯୋଗାଯୋଗ, ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା, ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ ସବୁ ନବୀନ ନିବାସରୁ ଚାଲିଲା। ଏପରିକି ରାଜ୍ୟ କ୍ୟାବିନେଟ୍ ବି। ଉପନିର୍ବାଚନରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ସେ ନିର୍ବାଚନ ପ୍ରଚାର କଲେ। କରୋନା ସଂକ୍ରମଣ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଖୁବ୍ କମ୍ କାର୍ଯ୍ୟକ୍ରମରେ ନବୀନ ବାହାରକୁ ଆସିଥିଲେ। ରାଜ୍ୟ ଶାସନ ତଥାପି ପ୍ରଭାବୀ ଥିଲା।
ଦୁଇଟି ଉପନିର୍ବାଚନରେ ବିଜେଡିର ବାଜିମାତ୍
କରୋନା କଟକଣା ଭିତରେ ହୋଇଥିଲା ଦୁଇ ଦୁଇଟି ଉପନିର୍ବାଚନ। ତିର୍ତ୍ତୋଲରେ ବିଜେଡି ବିଧାୟକ ବିଷ୍ଣୁ ଦାସ ଓ ବାଲେଶ୍ବରରେ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ଯୋଗୁ ଏଭଳି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ତିର୍ତ୍ତୋଲରେ ବିଜେଡି ତା’ର ଗଡ଼ ରଖିବାକୁ ସମର୍ଥ ହୋଇଥିଲା ବେଳେ ବାଲେଶ୍ବରରେ ବିଜେପି ଆସନ ଛଡ଼ାଇନେଲା ବିଜେଡି। ସ୍ବର୍ଗତ ଦତ୍ତଙ୍କ ପୁଅ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବି ଦଳ ଅନୁକମ୍ପା ଭୋଟ୍ ହାସଲ କରିବାରେ ସମର୍ଥ ହୋଇପାରିଲା ନାହିଁ। ବିଜେପି ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ ନିର୍ବାଚନମଣ୍ଡଳୀ ଯାଇ ମାରାଥନ୍ ପ୍ରଚାର କରିଥିଲେ। ବିଜେଡି ପକ୍ଷରୁ ମଧ୍ୟ ପ୍ରଚାର ଜୋର୍ଦାର୍ କରାଯାଇଥିଲା। ତେବେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ୍ ରାଲି ଓ ବାଲେଶ୍ବର ନିର୍ବାଚନ ମଣ୍ଡଳୀ ଦାୟିତ୍ବ ନିଜ ମୁଣ୍ଡକୁ ନେବାର ପ୍ରତିଶ୍ରୁତି ଭୋଟ ଗଣିତ ଓଲଟପାଲଟ କରିଦେଇଥିଲା। ଅନ୍ୟପକ୍ଷରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲେ ହେଁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଭାରତର ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିନଥିଲେ।

ଶାହ, ମମତାଙ୍କୁ ଏକାଠି ଖୁଆଇଲେ ନବୀନ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ଜାତୀୟ ସ୍ତରରେ ଏକ ଚର୍ଚ୍ଚିତ ପ୍ରସଙ୍ଗ। କିନ୍ତୁ ଏହି ଦୁଇ ନେତାଙ୍କୁ ମଧ୍ୟାହ୍ନ ଭୋଜନରେ ଏକାଠି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ଏହି ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଡାଇନିଂ ଟେବୁଲ୍ରେ ଶାହ, ଦିଦିଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବସି ନବୀନଙ୍କ ସହ ଭୋଜନ କରିଥିଲେ। ଏହି ଫଟୋ ଜାତୀୟ ଗଣମାଧ୍ୟମର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ପାଇଁ ଏହି ନୋତାମାନେ ଭୁବନେଶ୍ବର ଆସିଥିଲେ।
The post କୋଡିଏର କୋହ : ବିଜେପିରେ ଅନ୍ତର୍ଦ୍ବନ୍ଦ୍ବ, କଂଗ୍ରେସରେ ପୁରୁଣା ରୋଗ ଓ ନବୀନ ନିବାସରୁ ରାଜ୍ୟ ଶାସନ first appeared on Sambad.
from ରାଜନୀତି – Sambad https://ift.tt/37YRawC
0 Comments