ନୂଆଦିଲ୍ଲୀ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି। ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଁଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି। ଗତ ରବିବାର ରାହୁଲ ହଠାତ୍‌ ବିଦେଶର କୌଣସି ଏକ ଅଜଣା ସ୍ଥାନକୁ ବିମାନ ଯାତ୍ରା କରିଛନ୍ତି। କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଏବଂ ଦେଶରେ ସମ୍ପ୍ରତି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ରାହୁଲଙ୍କ ଏପରି ଅଜ୍ଞାତବାସ ଅନେକ ଦଳୀୟ ନେତା ତଥା କର୍ମୀମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି।

ଅପରପକ୍ଷେ, ଆସନ୍ତା ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ତାଙ୍କ ମାଆ ସୋନିଆ ଗାନ୍ଧିଙ୍କୁ ଅବ୍ୟାହତି ଦେଇ ଦଳର ଜଣେ ନୂତନ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ କରିବା ଯୋଜନା ରହିଥିବା ବେଳେ ଏହି ପଦବି ପାଇଁ ରାହୁଲ ଆଶାୟୀ ନଥିବା ତାଙ୍କ ହାବଭାବରୁ ନିକଟତମ ମହଲ ଅନୁମାନ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ, କଂଗ୍ରେସର ୯୯.୯ ପ୍ରତିଶତ ଦଳୀୟ ନେତୃତ୍ବ ରାହୁଲଙ୍କୁ ପୁଣିଥରେ ମୁଖିଆ କରିବା ସପକ୍ଷରେ ଅଛନ୍ତି ବୋଲି ଚଳିତ ମାସରେ ଦଳର ମୁଖପାତ୍ର ରଣଦୀପ ସୁର୍ଜେଵାଲା ମନ୍ତବ୍ୟ ଦେଇଥିଲେ।

The post କଂଗ୍ରେସର ମଙ୍ଗ ଧରିବାକୁ ରାହୁଲ ଅମଙ୍ଗ! first appeared on Sambad.



from ରାଜନୀତି – Sambad https://ift.tt/3aQes9Y