
କୋଲ୍କାତା: ଲୋକମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଅନୁମତି ମିଳୁନାହିଁ ବୋଲି ଦର୍ଶାଇ ଦଳତ୍ୟାଗ କରିଥିବା ତୃଣମୂଳ କଂଗ୍ରେସର ବିଧାୟକ ଜିତେନ୍ଦ୍ର ତିଓ୍ଵାରୀ ଦଳକୁ ଫେରି ଆସିଥିବା କଥା ଶୁକ୍ରବାର ବିଳମ୍ବିତ ରାତ୍ରୀରେ କହିଛନ୍ତି। ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ।
କୋଲ୍କାତାରେ ରାଜ୍ୟ ମନ୍ତ୍ରୀ ଅରୂପ ବିଶ୍ୱାସଙ୍କୁ ଭେଟିବା ସହ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ପରେ ତିଓ୍ଵାରୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କୁହାଯାଉଛି। ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ରାଜନୈତିକ ରଣନୀତି ପ୍ରସ୍ତୁତକାରୀ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ।
ମନ୍ତ୍ରୀ ବିଶ୍ୱାସ କହିଛନ୍ତି, ତିଓ୍ଵାରୀ ଦଳରେ ଥିଲେ ଏବଂ ଦଳରେ ରହିବେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଦଳ ଛାଡ଼ିଥିଲେ। ଗତକାଲି ଅନ୍ୟତମ ତୃଣମୂଳ କଂଗ୍ରେସ ନେତା ଶୀଳଭଦ୍ର ଦତ୍ତ ମଧ୍ୟ ଇସ୍ତଫା ଦେଇଥିଲେ।
ଅନ୍ୟ ପଟେ, ଦୁଇଦିନିଆ ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋଲ୍କାତାରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ରାଜଧାନୀ କୋଲ୍କାତାରେ ପହଞ୍ଚିବା ପରେ ସେ ଟୁଇଟ୍ କରି ଲେଖିଛନ୍ତି, ଗୁରୁଦେବ ଠାକୁର, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଏବଂ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଭଳି ମହାନ୍ ବ୍ୟକ୍ତିଙ୍କ ସମ୍ମାନଜନକ ରାଜ୍ୟ ଆଗରେ ମୁଁ ମଥାନତ କରୁଛି।
ବିଜେପିର କେତେକ ସାଙ୍ଗଠନିକ କାର୍ଯ୍ୟ ସମେତ ଆଜି ଅମିତ ଶାହ ମେଦିନାପୁରରେ ଏକ ସର୍ବସାଧାରଣ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
The post ଲେଉଟିଲେ ବଙ୍ଗ ବିଧାୟକ ଜିତେନ୍ଦ୍ର ତିଓ୍ଵାରୀ; କହିଲେ ଏବେ ମଧ୍ୟ ତୃଣମୂଳ କଂଗ୍ରେସରେ ରହିଛି first appeared on Sambad.
from ରାଜନୀତି – Sambad https://ift.tt/3re6JIi
0 Comments