
ପାଟନା: ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ଦେହାନ୍ତ ପରେ ରାଜ୍ୟସଭାକୁ ଯାଇଛନ୍ତି ସୁଶୀଲ କୁମାର ମୋଦୀ। ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଦିଆଯାଇଥିବା ଶେଷ ତାରିଖରେ ହିଁ ସୁଶୀଲ ମୋଦୀ ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।
ତାଙ୍କ ବ୍ୟତୀତ ସ୍ୱାଧୀନ ପ୍ରାର୍ଥୀ ଶ୍ୟାମ ନନ୍ଦନ ପ୍ରସାଦ ନାମାଙ୍କନପତ୍ର ଦାଖଲ କରିଥିଲେ, ଯାହା ଯାଞ୍ଚ ସମୟରେ ନାକଚ କରିଦିଆ ଯାଇଥିଲା। ଏହା ପରେ ସୁଶୀଲ ମୋଦୀ ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଜଣା ପଡ଼ିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତାରକିଶୋର ଏବଂ ରେଣୁ ଦେବୀ ଏବଂ ରାଜ୍ୟ ବିଜେପି ସଭାପତି ସଞ୍ଜୟ ଜୈସୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସୁଶୀଲ ମୋଦୀଙ୍କୁ ତାଙ୍କ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଜଣା ପଡ଼ିଛି।
ଉଲ୍ଲେଖଯୋଗ୍ୟ, ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବା ପରେ ସୁଶୀଲ ମୋଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳି ନଥିଲା। ବିଜେପିର ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲେ। ଏହି ସମୟରେ ସୁଶୀଲ ମୋଦୀଙ୍କୁ ବିଜେପି ରାଜ୍ୟସଭା ପଠାଇବାକୁ ଚାହୁଥିବାରୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, ଯାହା ଏବେ ସତ ହୋଇଛି। କୁହାଯାଉଛି, ସୁଶୀଲ ମୋଦୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।
The post ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଶୀଲ ମୋଦୀ first appeared on Sambad.
from ରାଜନୀତି – Sambad https://ift.tt/2ItxvLy
0 Comments