
ଭବାନୀପାଟଣା: କେନ୍ଦ୍ର କୃଷି ଆଇନକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ନୂତନ କୃଷି ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ଏହି ଆଇନ ଦ୍ୱାରା ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ କୌଣସି ପରିବର୍ତନ ହୋଇନାହିଁ। କେନ୍ଦ୍ର ସରକାର ଏହି ବିଧେୟକ ଆଣିବାର ୨୪ଘଣ୍ଟା ଭିତରେ ଗହମ ସମେତ ଛଅ ଗୋଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। ଏହି ଆଇନ ଦ୍ୱାରା ୨୦୨୨ସୁଦ୍ଧା କୃଷକ ତାର ଆୟକୁ ନିଶ୍ଚୟ ଦ୍ୱିଗୁଣିତ କରିପାରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ। ଏହି ଆଇନ କୃଷକମାନଙ୍କୁ ମଧ୍ୟସ୍ଥିମାନଙ୍କ ଦାଉରୁ ରକ୍ଷା କରିବ, କାରଣ କୃଷକ ଓ ଖାଉଟି ମଧ୍ୟରେ ମଧ୍ୟସ୍ଥି ଭାବରେ ରହୁଥିବା ବ୍ୟକ୍ତିମାନେ କୃଷି ଉତ୍ପାଦନରୁ ଲାଭବାନ ହେଉଥିବା ବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି।
ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ ଟଙ୍କା ଦେଉଥିବା ବେଳେ ମଣ୍ଡିରେ ତିନିରୁ ଆଠ କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଥିବାରୁ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ମଣ୍ଡି ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶାରେ ମଣ୍ଡି ଭିତ୍ତିଭୂମି ସୁଧୁରି ନାହିଁ ବୋଲି ସେ କହିଥିଲେ।
ତେବେ ଆଗାମୀ ତିନି ମାସ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ ମାଧ୍ୟମରେ ଓଡିଶାର ୩୫୦୦ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତ୍ୟେକ ମଣ୍ଡିରେ କୃଷକ ପଂଚାୟତ ଆୟୋଜନ କରିବ ଏବଂ ନୂତନ କୃଷି ନୀତି ସପକ୍ଷରେ ଚାଷୀମାନଙ୍କୁ ଅବଗତ କରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ଜୟଶଙ୍କର ପଣ୍ଡା, ପ୍ରଶାନ୍ତ ସାହୁ, ଶର୍ମିଷ୍ଠା ମେହେର, ରମେଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।
The post ନୂଆ କୃଷି ଆଇନ କୃଷକଙ୍କୁ ମଧ୍ୟସ୍ଥିମାନଙ୍କ ଦାଉରୁ ରକ୍ଷା କରିବ: ସାଂସଦ ବସନ୍ତ ପଣ୍ଡା first appeared on Sambad.
from ରାଜନୀତି – Sambad https://ift.tt/2WvDQcs
0 Comments