ବିଂଝାରପୁର: ଶିଶୁକନ୍ୟା ପରୀ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ୪ମାସ ହେଲା ୨ବର୍ଷର ଶିଶୁ ପିହୁ(ଶୁଭଲକ୍ଷ୍ମୀ ନାୟକ) ନିଖୋଜ ଘଟଣା ଜିଲ୍ଲାରେ ଝଡ଼ ସୃଷ୍ଟି କରିବାକୁ ଯାଉଛି। ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ଵରେ କଂଗ୍ରେସର ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ପହଞ୍ଚି ପିହୁର ପରିବାରକୁ ଭେଟିବା ସହ ବିଂଝାରପୁର ଥାନା ଅଧିକାରୀ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ବିଂଝାରପୁର ବିଧାୟକ ପ୍ରାର୍ଥୀ ମନୋରଂଜନ ଦାସ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଜେନା, ଜିଲ୍ଲା ଅନୁସୂଚିତ ଜାତିର ସଭାପତି ଦୁର୍ଯ୍ୟଧନ ବେହେରା, ସୀମାନ୍ତ ପାତ୍ର, ମହେଶ୍ଵର ଦାସ ସାମିଲ ଥିଲେ।

ବିଂଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ରଥସାହିର ନିର୍ମଳ ନାୟକଙ୍କ ଝିଅ ମୋନାଲିସା ନାୟକ ତାଙ୍କର ୨ସନ୍ତାନକୁ ନେଇ ବାପଘରେ ରହୁଥିଲେ। ଗତ ଅଗଷ୍ଟ ୯ତାରିଖ ଅପରାହ୍ଣରେ ମୋନାଲିସାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ନାୟକ(ପିହୁ) ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇ ଥିଲା । ବହୁ ଖୋଜାଖୋଜି କରି ନପାଇବାରୁ ସେହିଦିନ ସଂଧ୍ୟାରେ ମୋନାଲିସା ବିଂଝାରପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ମୋନାଲିସା ଓ ତାଙ୍କ ପରିବାର ବିଂଝାରପୁର ଥାନାକୁ ବାରମ୍ଵାର ଦୌଡିଥିଲେ ମଧ୍ୟ ପୁଲିସ ପିହୁକୁ ଉଦ୍ଧାର କରିବାରେ କୌଣସି ତତ୍ପରତା ଦେଖାଇନଥିଲା। ଏପରିକି ଏସ୍‌ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ପିହୁଙ୍କ ପରିବାର ଗୁହାରି ଜଣାଇଥିଲେ। ଏହି ଘଟଣା ନେଇ ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେବା ପରେ ଯାଜପୁର ପୁଲିସ ତତ୍ପରତା ପ୍ରକାଶ କରିଥିବା ବେଳେ ବିିରୋଧୀ ରାଜନୈତିକ ଦଳ ଏହାକୁ ଅସ୍ତ୍ର କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପିହୁ ନିଖୋଜ ଘଟଣାକୁ ଜିଲ୍ଲା ପୁଲିସ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି । ଏସ୍‌ପି ଚରଣସିଂ ମୀନାଙ୍କ ନେତୃତ୍ଵରେ ଜିଲ୍ଲାର ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଦିନରାତି ଏକ କରି ପିହୁକୁ ଖୋଜିବାରେ ଲାଗିଛନ୍ତି । ପିହୁ ନିଖୋଜ ଘଟଣାର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାସଲ କରିଥିବା କୁହାଯାଉଛି। ଏ ସଂପର୍କରେ ବିଂଝାରପୁର ଥାନାଧିକାରୀ ନିରଞ୍ଜନ ଶବରଙ୍କୁ ପଚାରିବାରେ ତଦନ୍ତ ଚାଲିଛି; ଖୁବଶୀଘ୍ର ପିହୁକୁ ଖୋଜିବାରେ ସଫଳ ହେବୁ ବୋଲି କହିଛନ୍ତି।

The post ୨ବର୍ଷର ଶିଶୁକନ୍ୟା ପିହୁ ୪ମାସ ହେଲା ନିଖୋଜ, ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ first appeared on Sambad.



from ରାଜନୀତି – Sambad https://ift.tt/2LqgfYt