
କୋଲ୍କାତା: ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବା ବିଜେପି ନେତା ଜେପି ନଡ୍ଡା ଏବଂ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି।
ପଶ୍ଚିମବଙ୍ଗର ଡାଇମଣ୍ଡ୍ ହାର୍ବର୍ ଅଭିମୁଖେ ଯାଉଥିବା ବିଜେପିର ଜାତୀୟ ଅଧ୍ୟକ୍ଷ ଗାଡ଼ି ଉପରକୁ ଢେଲା ଫିଙ୍ଗାଯାଇଥିବା କଥା ଗୁରୁବାର ଦିନ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି।
ଆଜି ନଡ୍ଡାଙ୍କ ଗାଡ଼ି ଡାଇମଣ୍ଡ୍ ହାର୍ବର୍ ଆଡ଼କୁ ଯାତ୍ରା କରୁଥିବା ସମୟରେ ପ୍ରତିବାଦକାରୀମାନେ ଏକତ୍ର ହୋଇ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିଥିଲେ।
ସେହିଭଳି, ଅନ୍ୟ ଏକ ଘଟଣାରେ ଦକ୍ଷିଣ ୨୪ ପ୍ରଗଣାରେ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରକୁ ମଧ୍ୟ ଟେକାପଥର ଫିଙ୍ଗାଯାଇ ଥିବା ଅଭିଯୋଗ ହୋଇଛି। ଯାତ୍ରା କରୁଥିବା କାର୍ଟିର ସମ୍ମୁଖ କାଚ ଭାଙ୍ଗିଯାଇଥିବାର ଭିଡିଓ ମଧ୍ୟ ବିଜୟବର୍ଗୀୟ ସେୟାର୍ କରିଛନ୍ତି।
ଦିଲୀପ ଘୋଷ କହିଛନ୍ତି, ଡାଇମଣ୍ଡ୍ ହାର୍ବର୍କୁ ଯିବା ବାଟରେ, ତୃଣମୂଳ କଂଗ୍ରେସର ସମର୍ଥକମାନେ ରାସ୍ତା ଅବରୋଧ କରି ନଡ୍ଡାଜୀ ଏବଂ ଅନ୍ୟମାନଙ୍କ କାର୍ ଉପରକୁ ଢେଲା ଫିଙ୍ଗିଥିଲେ। ଏହା ତୃଣମୂଳ କଂଗ୍ରେସର ବାସ୍ତବ ରୂପ ହିଁ ପ୍ରଦର୍ଶନ କରୁଛି।
ଏହି ଅଭିଯୋଗରେ ପ୍ରତିକ୍ରିୟା ପ୍ରକାଶ କରି ଶାସକ ତୃଣମୂଳ କଂଗ୍ରେସର ନେତା ମଦନ ମିତ୍ର କହିଛନ୍ତି, ଏହି ହିଂସାକାଣ୍ଡରେ ବିଜେପିର ଗୁଣ୍ଡାମାନେ ସମ୍ପୃକ୍ତ। ଏଥିରେ ତୃଣମୂଳ କଂଗ୍ରେସର ସମ୍ପୃକ୍ତି ନାହିଁ। ଏ ପ୍ରତିବାଦକୁ ସ୍ଥାନୀୟ ଲୋକଙ୍କ ବିଦ୍ରୋହ ବୋଲି ସେ ଦର୍ଶାଇଛନ୍ତି।
ତୃଣମୂଳ କଂଗ୍ରେସର ଅନ୍ୟ ଜଣେ ମନ୍ତ୍ରୀ ଫିର୍ହାଦ ହକିମ୍ କହିଛନ୍ତି, ବିଜେପି ବାହାର ବ୍ୟକ୍ତିବିଶେଷଙ୍କୁ ରାଜ୍ୟକୁ ଆଣୁଛି। ଏବଂ ଆଣିବା କଥା ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଉନାହିଁ।
The post ପଶ୍ଚିମବଙ୍ଗରେ ବିଜେପି ନେତା ଜେପି ନଡ୍ଡା ଏବଂ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଢେଲାମାଡ଼ first appeared on Sambad.
from ରାଜନୀତି – Sambad https://ift.tt/37Qf8sL
0 Comments