ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଯୁବ ବିଜେଡିର ସଭାପତି ଶୁଭେନ୍ଦୁ ଦାଶ ମଙ୍ଗରାଜଙ୍କୁ ପଦନ୍ନୋତି କରାଯାଇଛି। ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛନ୍ତି। ଗତ ୪ ବର୍ଷ ଧରି ଶ୍ରୀ ମଙ୍ଗରାଜ ବାଲେଶ୍ବର ଯୁବ ବିଜେଡିର ଜିଲ୍ଲା ସଭାପତି ଭାବେ ସଫଳ ଦାୟିତ୍ବ ତୁଲାଇଥିଲେ। ସେ ବର୍ତ୍ତମାନ ରେମୁଣା ବ୍ଲକ ନୂଆପାଢ଼ୀ ପଞ୍ଚାୟତ ସମିତିସଭ୍ୟ ରହିଥିବା ବେଳେ ଏକାଧିକ ଶ୍ରମିକ ସଂଗଠନର ସଭାପତି ମଧ୍ୟ ଅଛନ୍ତି। ସେହିପରି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବାଲେଶ୍ବର ଜିଲ୍ଲାରୁ ତାପସ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଲା ଯୁବବିଜେଡିର ନୂତନ ସଭାପତି ଭାବେ ତାପସ ବେହେରା ଏବଂ ଛାତ୍ର ବିଜେଡିର ସଭାପତି ଭାବେ ତୃତୀୟ ଥର ପାଇଁ ସିମନ ଦାସ ମହାପାତ୍ର ମନୋନୀତ ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି।

ତେବେ ଦଳ ସେମାନଙ୍କ ଉପରେ ଆସ୍ଥା ରଖି ପୁଣିଥରେ ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଯୁବ ବ୍ୟାପାର ଅଧ୍ୟକ୍ଷ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ସଂଗଠନକୁ ଆହୁରି ମଜବୁତ କରିବାକୁ ସମସ୍ତେ ଏକ ହୋଇ କାମ କରିବେ। ଏଥିପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

The post ଶୁଭେନ୍ଦୁ ହେଲେ ଯୁବବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି first appeared on Sambad.



from ରାଜନୀତି – Sambad https://ift.tt/3kZiHl0