ନୂଆଦିଲ୍ଲୀ / କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ବିରୋଧରେ ବ୍ୟାପକ ଯୁଦ୍ଧ ପାଇଁ ତାଙ୍କ ସରକାର କେନ୍ଦ୍ର ସହ ମିଶି ଏକାଠି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି। ହେଲେ, ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ଭିଡିଓ କନଫରେନ୍ସିଂ କାଳରେ ସେ କହିଛନ୍ତି ଯେ କୋଭିଡ୍‌ ଯୁଦ୍ଧରେ କେନ୍ଦ୍ର ସହିତ କାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ହେଲେ ଆଗ ଆମର ବକେୟା ଜିଏସ୍‌ଟି ପୈଠ କର।

କୋଭିଡ୍‌-୧୯ ଟିକା ଉପଲବ୍ଧ ହେବା ମାତ୍ରେ ସମଗ୍ର ଦେଶ ଶୀଘ୍ର ଟୀକାକରଣ କାର୍ଯ୍ୟକ୍ରମକୁ ଅପେକ୍ଷା କର ରହିଥିବା ବେଳେ ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କ ପାଇଁ ଶୀଘ୍ର ଏବଂ ସର୍ବଭାରତୀୟ ଟିକାକରଣ କାର୍ଯ୍ୟକ୍ରମକୁ ନିଶ୍ଚିତ କରିବାକୁ ଆମେ କେନ୍ଦ୍ର ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା ଏହି ପ୍ରତିଶ୍ରୁତି ଦେବା ସହ ନିଜର ଏକ ସର୍ତ୍ତ ମଧ୍ୟ ଆରୋପ କରିିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଦିଗରେ ପଶ୍ଚିମବଙ୍ଗ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି। ହେଲେ, କେନ୍ଦ୍ର ପକ୍ଷରୁ ଏଥିପାଇଁ କୌଣସି ପ୍ରକାରର ଆର୍ଥିକ ସହାୟତା ରାଜ୍ୟକୁ ମିଳିନାହିଁ। ସେ ଅଭିଯୋଗ କରି କହିଛନ୍ତି, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ସପକ୍ଷରେ ପର୍ଯ୍ୟାପ୍ତ ପାଣ୍ଠି ଛାଡି ନାହାଁନ୍ତି। ପଶ୍ଚିମବଙ୍ଗ ଯେତିକି, ଜିଏସ୍‌ଟି କ୍ଷତିପୂରଣ ବାବଦରେ ୮,୫୦୦ କୋଟିର ଦେୟ କେନ୍ଦ୍ର ଉପରେ ବକେୟା ଗଡ଼ୁଛି। ଅନ୍ୟପକ୍ଷରେ ପ୍ରତ୍ୟେକଟି କ୍ଷେତ୍ରରେ ଖର୍ଚ୍ଚ ବଢ଼ିଛି। କେବଳ କୋଭିଡ୍‌ ପରିଚାଳନା ବାବଦରେ ରାଜ୍ୟ ଏଯାବତ୍‌ ପ୍ରାୟ ୪,୦୦୦ କୋଟି ଖର୍ଚ୍ଚ କରିସାରିଛି। ହେଲେ, ଏପର୍ଯ୍ୟନ୍ତ କେନ୍ଦ୍ର ମାତ୍ର ୧୯୩ କୋଟି ପ୍ରଦାନ କରିଛି।

The post କୋଭିଡ୍‌ ଯୁଦ୍ଧରେ କେନ୍ଦ୍ର ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଲେ ଆଗ ବକେୟା ଜିଏସ୍‌ଟି ପୈଠ କର: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ କାଳରେ ଦାବୀ କଲେ ମମତା first appeared on Sambad.



from ରାଜନୀତି – Sambad https://ift.tt/33fCcQh