ପାଟନା : ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ନୀତୀଶଙ୍କୁ ଉଭୟ ବିଜେପି ଏବଂ ଜେଡିୟୁ ନେତା ମନାଇ ନେଇଥିବା ଜଣାପଡ଼ିଛି। ‌ତେବେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କ‌େଁ ବାହାରିଛି। ଏନଡିଏ ସରକାରରେ ନୀତୀଶଙ୍କ ଡେପୁଟି ବା ଉପମୁଖ୍ୟମନ୍ତ୍ରୀ ରହି ଆସିଥିବା ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ ଆଉ ରାଜ୍ୟରେ ରଖିବାକୁ ଚାହୁନି ବିଜେପି। ତାଙ୍କ ସ୍ଥାନରେ ବିଜେପିର ଦଳିତ ନେତା କାମେଶ୍ବର ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି। କିନ୍ତୁ ନୀତୀଶ ଏଥିରେ ରାଜି ହେଉ ନାହାନ୍ତି। ସେ କୌଣସି ପରିସ୍ଥିତିରେ ସୁଶୀଲଙ୍କୁ ଛାଡ଼ିବାକୁ ଚାହୁ ନାହାନ୍ତି। ସୁଶୀଲ ରାଜ୍ୟରେ ଅର୍ଥ ମନ୍ତ୍ରୀ ଭାବେ ଭଲ କାମ କରିଥିବାରୁ ନୀତୀଶଙ୍କ ତାଙ୍କୁ ଛାଡ଼ିବାକୁ ଚାହାନ୍ତି ନାହିଁ। ଏସଂପର୍କରେ ନୀତୀଶ ଓ ବିଜେପି ନେତାମାନଙ୍କ ମଧ୍ୟରେ କଥାବାର୍ତା ଚାଲିଛି। ରାଜ୍ୟରେ କେଉଁ ବିଜେପି ନେତା ଉପମୁଖ୍ୟମନ୍ତ୍ରୀ ହେବେ ତାହା ବିଜେପି ଉପରେ ନିର୍ଭର କରୁଛି। କିନ୍ତୁ ବିଜେପି ନୀତୀଶଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହୁନାହିଁ।

ମିଳିଥିବା ରିପୋର୍ଟ ଅନୁଯାୟୀ ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦଳ ଭିତରେ ପ୍ରବଳ ଚାପ ପଡ଼ୁଛି। ରାଜ୍ୟରେ ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦଳିତ ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ଚାହୁଛି। ଅନ୍ୟପକ୍ଷରେ ସୁଶୀଲଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ରାମବିଳାସ ପାଶ୍ବାନଙ୍କ ପରଲୋକ ପରେ ରାଜ୍ୟସଭା ପାଇଁ ଖାଲି ପଡ଼ିଥିବା ଆସନରୁ ସୁଶୀଲଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ଏସଂପର୍କରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ।

ଇତିମଧ୍ୟରେ ଏନଡିଏର ଅନ୍ୟତମ ଅଂଶୀଦାର ହାମ ନେତା ଜୀତେନ ମାଝୀ ନୀତୀଶ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ମନା କରିଦେଇଛନ୍ତି ସେ କହିଛନ୍ତି ଯେ ଥରେ ମୁଖ୍ୟମନ୍ତ୍ରୀ ହେବାପରେ ସେ ଆଉ ମନ୍ତ୍ରୀ ହେବେ ନାହିଁ। ସୂଚନାଯୋଗ୍ୟ ଯେ ୨୦୧୪ରେ ଲୋକସଭା ନିର୍ବାଚନରେ ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେତେବେ‌େଳେ ଜେଡିୟୁ ନେତା ଥିବା ଜୀତେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହେବାପରେ ଜୀତେନଙ୍କୁ ବିଦା କରିଦେଇଥିଲେ। ଏହାପରେ ଜୀତେନ ହାମ୍ ନାମରେ ପାର୍ଟି ଗଠନ କରିଥିଲେ।

The post ବିହାରରେ ଏନଡିଏ ବୈଠକ ଆଜି; ନେତା ନିର୍ବାଚନ ହେବ, ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ କେଁ first appeared on Sambad.



from ରାଜନୀତି – Sambad https://ift.tt/3psbWLT