
ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନ ଗତ ୩ଟି ନିର୍ବାଚନ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଲାଲୁଙ୍କୁ ହଟାଇବା ପାଇଁ ୨୦୦୫, ୨୦୧୦ ଏବଂ ୨୦୧୫ରେ କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଭିନ୍ନ ପ୍ରସଙ୍ଗ ଥିଲା। ଏହା ସୁଶାସନ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଚଳିତ ନିର୍ବାଚନର ପ୍ରସଙ୍ଗ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ସରକାର ବିରୋଧୀ ଭୋଟ୍, କରୋନା ସମୟରେ ଆର୍ଥିକ ସଙ୍କଟ, ବ୍ୟାପକ ବେରୋଜଗାର ଭଳି ଅନେକ ପ୍ରସଙ୍ଗ ଚଳିତ ନିର୍ବାଚନରେ ମୁଖ୍ୟ ବିଷୟବସ୍ତୁ ପାଲଟିଛି। ତେବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରସଙ୍ଗ ଭିନ୍ନ ରହୁଛି। ପୂର୍ବ କାର୍ଯ୍ୟକାଳରେ ଯେଉଁମାନେ ନୀତୀଶଙ୍କୁ ସମର୍ଥନ କରୁଥିଲେ ଏବେ ସେମାନେ ନୀତୀଶଙ୍କ ନାଁ ଶୁଣିଲେ ସହି ପାରୁନାହାନ୍ତି। ଏକ୍ଷେତ୍ରରେ କିଛି ଭୋଟରଙ୍କ ମତାମତ ମଧ୍ୟ ନିଆଯାଇଛି। ଫରିଦ୍ପୁର ଗ୍ରାମରେ ପାନ ଦୋକାନ କରିଥିବା ଜଣେ ବ୍ୟକ୍ତି କହିଛନ୍ତି, ନୀତୀଶ କୁମାର ଏହି ସନ୍-କେନାଲ୍ ରୋଡ୍ ନିର୍ମାଣ କରିଛନ୍ତି। ଏଥିରୁ ମୁଁ ରୋଜଗାର କରୁଛି। କିନ୍ତୁ ଏଥିପାଇଁ କ’ଣ ନୀତୀଶଙ୍କ ପାଖରେ ମୁଁ ସାରା ଜୀବନ କୃତଜ୍ଞ ରହିବି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରେମ କୁମାର ପଚାରିଛନ୍ତି ନୀତୀଶ ବିହାର ପାଇଁ ଯେଉଁ ସ୍ବତନ୍ତ୍ର ମାନ୍ୟତା ଦାବି କରିଥିଲେ ତାହା ଏବେ କୁଆଡ଼େ ଗଲା। ରାଜ୍ୟକୁ ଅଧିକ କେନ୍ଦ୍ରୀୟ ପାଣ୍ଠି ସହଯୋଗ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ସେ ତାଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନ୍ୟଜଣେ କୃଷକ କୌଶଳ କୁମାର ଶର୍ମା କହିଛନ୍ତି, ବିଜେପି ଠିକ୍ ପ୍ରାର୍ଥୀ ଦେଉନାହିଁ, ତେଣୁ ଭୋଟ୍ ପାଇବ ନାହିଁ। ଅନ୍ୟପକ୍ଷେ ଏଲ୍ଜେପି ଏବଂ ଆର୍ଜେଡି ଏଥର ଭିତିରିଆ ଏକାଠି ହୋଇଛନ୍ତି। ନୀତୀଶଙ୍କ ବିରୋଧରେ ଚଳିତ ଥର ସବୁ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇଛନ୍ତି। ଏଲ୍ଜେପି ଏନ୍ଡିଏ ମେଣ୍ଟରୁ ଓହରିଯିବାପରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ତାଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିବାରୁ ଏହାକୁ ନେଇ ଦ୍ବନ୍ଦ୍ବ ବଢ଼ିଥିଲା। ନିଯୁକ୍ତି ପ୍ରସଙ୍ଗକୁ ନେଇ ଯୁବଗୋଷ୍ଠୀ ନୀତୀଶଙ୍କ ଉପରେ ଖପ୍ପା ହୋଇଛନ୍ତି। କିଛି ଲୋକ କହିଛନ୍ତି, ନୀତୀଶଙ୍କ ବିକାଶ କେବଳ ସଡ଼କ ନିର୍ମାଣ ଏବଂ ବିଦ୍ୟୁତ୍ ସଂଯୋଗରେ ସୀମିତ ରହିଛି।
The post ଚଳିତ ବିହାର ନିର୍ବାଚନ ଏତେ ଭିନ୍ନ କାହିଁକି? first appeared on Sambad.
from ରାଜନୀତି – Sambad https://ift.tt/34rkI4v
0 Comments