ବାଲେଶ୍ବର : ବାଲେଶ୍ବରର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମା‌ନସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡାଙ୍କ ସମେତ ଦଳର ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ସମସ୍ତେ ଏକାଠି ହୋଇଛନ୍ତି। ଏହି କ୍ରମରେ ଦିବଂଗତ ବିଧାୟକଙ୍କ ପତ୍ନୀ ତଥା‌ ମାନସଙ୍କ ମା’ ପ୍ରେମଲତା ଦତ୍ତ ପୁଅକୁ ସାହାଯ୍ୟ କରିବା ପାଇଁ ଘରୁ ପାଦ କାଢ଼ିଛନ୍ତି।

ସୋମବାର ସକାଳେ ବିଜେପିର ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ପ୍ରେମଲତା ଅତ୍ୟନ୍ତ ଭାବବିହ୍ବଳ ହୋଇ ପୁଅ ପାଇଁ କାନି ପତାଇ ଭୋଟ୍‌ ମାଗିଥିଲେ। ମାନସ କେବଳ ମୋ’ ପୁଅ ନୁହେଁ, ସେ ସଦର ନିର୍ବାଚନମଣ୍ଡଳୀ ତଥା ବାଲେଶ୍ବରବାସୀଙ୍କ ପୁଅ। ‌ଦିନରାତି ସେ ତା’ ବାପାଙ୍କ ଭଳି ‌ଆପଣମାନଙ୍କ ସାଙ୍ଗରେ ରହୁଛି। ଆପଣମାନଙ୍କ ସୁଖଦୁଃଖର ସାଥୀ ହେଉଛି। ତେଣୁ ତା’ ବାପା ଦେଖିଥିବା ଅଧୁରା ସ୍ବପ୍ନ ପୂରା ହେବା ପାଇଁ ଆପଣମାନେ ତାକୁ ଆଶୀର୍ବାଦ ଦିଅନ୍ତୁ। ପ୍ରେମଲତାଙ୍କ ଏହି କୋହଭରା ନିବେଦନ କର୍ମୀ ଏବଂ ଭୋଟରମାନଙ୍କ ମଧ୍ୟରେ କି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ‌ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି।

The post ପୁଅ ପାଇଁ କାନି ପତାଇ ଭୋଟ୍‌ ମାଗିଲେ ମା’, ମାନସ ଆପଣମାନଙ୍କର, ତାକୁ ଆଶୀର୍ବାଦ କରନ୍ତୁ first appeared on Sambad.



from ରାଜନୀତି – Sambad https://ift.tt/34OOC1p