ରାଜନଗର : ଦେଶରେ, ଏପରିକି ରାଜ୍ୟରେ ବି କଂଗ୍ରେସ ଓ ବିଜେପି ମଧ୍ୟରେ ସମ୍ପର୍କ କାହାରିକୁ ଅଛପା ନାହିଁ। ଉଭୟ ଦଳର ନୀତି ଓ ଆଦର୍ଶ ପରସ୍ପରଠାରୁ ବେଶ୍‌ ପୃଥକ୍‌। ମାତ୍ର, କେନ୍ଦ୍ରାପଡ଼ାର ରାଜନଗରରେ ଦୁଇ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଉଭୟ ଦଳର ନେତୃବୃନ୍ଦ ମଧ୍ୟ ଏହିଭଳି ଅଘୋଷିତ ମେଣ୍ଟକୁ ସ୍ବୀକାର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦୁଇଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଗୋଟିଏ ପଞ୍ଚାୟତରେ କଂଗ୍ରେସ ସରପଞ୍ଚ ପଦରେ ଲଢ଼ିଲେ ବିଜେପି ସମିତି ସଭ୍ୟ ପାଇଁ ପ୍ରାର୍ଥୀ ଦେବ। ଠିକ୍‌ ଓଲଟାଭାବେ ବିଜେପିର ସରପଞ୍ଚ ପ୍ରାର୍ଥୀ ବିରୋଧ‌ରେ କାହାକୁ ଠିଆ ନକରି କଂଗ୍ରେସ ସେହି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ। ରାଜନଗର ନିର୍ବାଚନଣ୍ଡଳୀରେ ମଜଭୁତ୍‌ ସ୍ଥିତିରେ ଥିବା ବିଜେଡିକୁ ଟକ୍କର ଦେବା ପାଇଁ ଦୁଇଦଳ ପକ୍ଷରୁ ଏହିଭଳି ଅଘୋଷିତ ମେଣ୍ଟ କରାଯାଇଛି। ଏହାର ଉଦାହରଣ ହେଉଛି ବ୍ଲକ୍‌ ଅନ୍ତର୍ଗତ ଡାଙ୍ଗମାଳ ପଞ୍ଚାୟତ। ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ କଂଗ୍ରେସ ପକ୍ଷରୁ ପ୍ରତିମା ସେଠୀଙ୍କ ନାଁ ଘୋଷଣା କରାଯାଇଛି। ସେହି ପଞ୍ଚାୟତରୁ ବିଜେପି ପକ୍ଷରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ଜଗବନ୍ଧୁ ସେଠୀଙ୍କ ନାଁ ଘୋଷଣା କରାଯାଇଛି। ରାଜନଗର ବ୍ଲକ୍‌ର ଏହି ପଞ୍ଚାୟତରୁ କଂଗ୍ରେସ ଓ ବିଜେପିର ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ପ୍ରାର୍ଥୀ ଦେଇ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସହ ଲଢିବେ ବୋଲି ସ୍ଥିର ହୋଇଛି। ବ୍ଳକ୍‌ ଅନ୍ତର୍ଗତ କେତୋଟି ପଞ୍ଚାୟତରେ ଏହିଭଳି ଅଘୋଷିତ ମେଣ୍ଟ କରାଯିବ, ସେ ସମ୍ପର୍କ‌ରେ ଏକ ସ୍ପଷ୍ଟ ଚିତ୍ର ମିଳିନାହିଁ। ତେବେ, ଏପର୍ଯ୍ୟନ୍ତ ସୁଦ୍ଧା ୯ଟି ପଞ୍ଚାୟତରେ ଏହିଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମାଧବ ଚନ୍ଦ୍ର ମାନ୍ନା।

ଶ୍ରୀ ମାନ୍ନା କହିଛନ୍ତି, ‘ ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଦଳୀୟ ସଂକେତରେ ଲଢନ୍ତି ନାହିଁ। ଏଠି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଲେ ବିଜେଡି ଜିତିବ। କଂଗ୍ରେସ ଓ ବିଜେପି ଏକାଠି ପ୍ରତିଦ୍ବନ୍ଦ୍ବିତା କଲେ ଜିତିବାର ସମ୍ଭାବନା ରହିବ। ଏହାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ଗ୍ରହଣ କରାଯାଉଛି।’
ଏ ସଂପର୍କରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ଅଲେଖ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ‘ ମାଧବ ମାନ୍ନା ଏସବୁ ଚଳାଇଛନ୍ତି। ଆମ ଲୋକଙ୍କୁ କହିଛନ୍ତି, ଆମେ ଗୋଟିଏ କଂଗ୍ରେସରୁ ଦେବୁ ଓ ତମେ ଗୋଟିଏ ବିଜେପିରୁ ଦିଅ, ଆମେ ମିଶିକି ଲଢିବା।’

The post ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ରାଜନଗରରେ ଏକାଠି ଲଢ଼ିବେ କଂଗ୍ରେସ-ବିଜେପି first appeared on Sambad.

from ରାଜନୀତି | Sambad https://ift.tt/3HvAhsA