ଅପରାହ୍ଣରେ ବିରୋଧୀଙ୍କ ନାରାବାଜିରେ ଗୃହ କମ୍ପିଲା
ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କଲା ବିଜେଡି

ଭୁବନେଶ୍ୱର : ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ଼ ବହିଲା। ଗୃହ ବାହାରେ ଓ ଭିତରେ ଏହାର ପ୍ରଭାବ ଦେଖିବାକୁ ମିଳିଲା। ପ୍ରଥମ ଦିନ ଗୃହର କାର୍ଯ୍ୟ କମ୍ ସମୟ ପାଇଁ ଥିବାରୁ ଏହି ଝଡ଼ ବାଧା ସୃଷ୍ଟି କରିପାରି ନ ଥିଲା। କିନ୍ତୁ ଅଧିବେଶନରେ ଆଗାମୀ ଦିନରେ ଏହା ଯେ ମହାବାତ୍ୟାର ରୂପ ନେବ, ତାହାର ସ୍ପଷ୍ଟ ସଙ୍କେତ ବୁଧବାର ମିଳିଥିଲା। ବିରୋଧୀ ସଦସ୍ୟମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇଥିବାରୁ କୌଣସି ଅଘଟଣ ଆଶଙ୍କାରେ ଶାସକ ଦଳର ସମସ୍ତ ସଭ୍ୟ ଗୁରୁବାରଠାରୁ ଗୃହରେ ଉପସ୍ଥିତ ରହିବା ପାଇଁ ମୁଖ୍ୟ ସ‌ଚେତକ ଆଜି ହ୍ବିପ୍ ଜାରି କରିଛନ୍ତି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ନପୂରାଇ ଦେବାପାଇଁ ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା। ସେହି ମୁତାବକ ଦଳ ରଣନୀତି ପ୍ରସ୍ତୁତ କରିଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ବିଧାନ‌ସୌଧର ସାମ୍ନା ଫାଟକରେ ତାଲା ପକାଇ ଦେଇଥିଲେ। ଦୁଇ ପଟେ ଥିବା ଆଉ ଦୁଇଟି ଫାଟକରେ ବିଧାୟକମାନେ ଭାଗ ଭାଗ ହୋଇ ପ୍ଲାକାର୍ଡ ଧରି ବସି ରହିଲେ। ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ସେମାନେ ଦାବି କରିଥିଲେ। ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସ୍ଲୋଗାନ୍ ଲେଖା ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସାମ୍ନା ପଟ ଫାଟକରେ ତାଲା ପଡ଼ିଥିବାରୁ କିଛି ମନ୍ତ୍ରୀ ଓ ବିଧାୟକ ସେଠାରୁ ଫେରି ଅନ୍ୟ ବାଟ ଦେଇ ଭିତରକୁ ପଶିଥିଲେ। କିଛି ସମୟ ପରେ ‌ବିଧାନସଭାର କର୍ମଚାରୀମାନେ ଆସି ତାଲା ଭାଙ୍ଗିଥିଲେ।
ତେବେ କଂଗ୍ରେସ ସଭ୍ୟମାନେ ଫାଟକ ନିକଟରେ ବାଟ ଓଗାଳିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭା ଭିତରେ ପହଞ୍ଚିଯାଇଥିଲେ ଓ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ।
୧୧ଟା‌ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। କିନ୍ତୁ କଂଗ୍ରେସ ବିଧାୟକମାନେ ଫାଟକ ପାଖରେ ବସି ରହିଥିଲେ।

 

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଉପସ୍ଥିତ ରହି ଶୋକ ଆଲୋଚନାରେ ଭାଗ ନେଇଥିଲେ। ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ ଓ ରାମରାୟ ମୁଣ୍ଡା, ଓଡ଼ିଶା ପୁଲିସର ପୂର୍ବତନ ସିପାହୀ ସୀତାରାମ ମୁର୍ମୁ ଏବଂ କରୋନା ମହାମାରୀର ମୁକାବିଲାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଗୃହକାର୍ଯ୍ୟରେ ସାମିଲ ହୋଇଥିବା ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ସ୍ବର୍ଗତ ବ୍ୟକ୍ତିମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ବାଚସ୍ପତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ପରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

୫ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରି ନାରାବାଜି କରିଥିଲେ। ଉଭୟ ଦଳ ସଭ୍ୟମାନଙ୍କ ହଟ୍ଟଗୋଳରେ ଗୃହ କମ୍ପିଥିଲା। ଏହି ହୋହଲ୍ଲା ଭିତରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ। ତିନି ମିନିଟ୍‌ରେ ବଜେଟ୍‌ ଉପସ୍ଥାପନ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

The post ବିଧାନସଭାରେ ଦିବ୍ୟଶଙ୍କର ଝଡ଼ first appeared on Sambad.

from ରାଜନୀତି | Sambad https://ift.tt/3Dg1UTZ