ମମିତାଙ୍କ ଚରିତ୍ର ହନନ ବିରୋଧୀ ନୁହେଁ, ପୁଲିସ କରିଛି
ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ

ଭୁବନେଶ୍ୱର : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିରୋଧୀ ଦଳର ଉତ୍ତର ଦେବା ପରିବର୍ତେ ଯେଉଁ ବିବୃତି ଦେଇଛନ୍ତି, ତାହା ସମସ୍ତଙ୍କୁ ନିରାଶ ଓ ଚକିତ କରିଛି। ଦୋଷୀକୁ ସୁରକ୍ଷା ଦେବା ସହ ପ୍ରମାଣ ନଷ୍ଟ କରିବା ଏହି ବିବୃତିର ଉଦ୍ଦେଶ୍ୟ ବୋଲି ଶ୍ରୀ ମିଶ୍ର ଆରୋପ ଲଗାଇଛନ୍ତି। କଂଗ୍ରେସ ତା’ର ପ୍ରତିବାଦକୁ ଆହୁରି ତୀବ୍ର କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ବିବୃତିରେ ଆମ ଉତ୍ତର ନାହିଁ। ପୁଲିସ ଆଇପିସି ୩୦୨, ୨୦୧, ୧୨୦(ବି) ଓ ୩୬୬ରେ ମାମଲା ରୁଜୁ କରିଛି। କିନ୍ତୁ ଏ ଯାଏ ଷଡ଼ଯନ୍ତ୍ର ଦିଗକୁ ପୁଲିସ ଲୁଚାଉଛି କାହିଁକି ? ସେ ଦିଗରେ କାହିଁକି ତଦନ୍ତ କରାଯାଉ ନାହିଁ? ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପୁଲିସ ଠାରୁ ଜବାବ ମାଗିଲେଣି କି? ସେହି ଦିଗରେ ତଦନ୍ତ କଲେ ନିଶ୍ଚିତ ଭାବେ ମନ୍ତ୍ରୀ ଅଡ଼ୁଆରେ ପଡ଼ିଯିବେ। ସେଥି ପାଇଁ ଷଡ଼ଯନ୍ତ୍ର ଦିଗକୁ ଲୁଚାଯାଉଛି।

ଶ୍ରୀ ମିଶ୍ର ଆହୁରି ଅଭିଯୋଗ କରିଛନ୍ତି ଯେ ଅନୁସନ୍ଧାନ ନାଁରେ ପୁଲିସ ପ୍ରମାଣ ନଷ୍ଟ କରିଚାଲିଛି। ପ୍ରଥମେ ମମିତାଙ୍କ ବାପାଙ୍କ ଏତଲା ରଖାଗଲା ନାହିଁ। ସେଥି ପାଇଁ ଆଇଆଇସିଙ୍କୁ ସରକାର ନିଲମ୍ବନ କରିଛନ୍ତି। ତେଣୁ ପୁଲିସର ଅବହେଳାକୁ ସରକାର ସ୍ବୀକାର କରିଛନ୍ତି। ଶେଷରେ ଯେଉଁ ଥାନାରେ ଏତଲା ଦିଆଯାଇଛି ତାହା ପରିବାର ଲୋକ ଲେଖି ନ ଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଆଇନ ଅନୁଯାୟୀ ଏତଲାକୁ ତତ୍‌କ୍ଷଣାତ କୋର୍ଟକୁ ପଠାଇବା କଥା। ଅକ୍ଟୋବର ୧୩ ତାରିଖରେ ଏତଲା ହେଲା। କିନ୍ତୁ କୋର୍ଟକୁ ତାହା ୧୬ ତାରିଖରେ ଦିଆଗଲା। ଏହି ବିଳମ୍ବ ହେବାର ଉଦ୍ଦେଶ୍ୟ କ’ଣ? ସେହିପରି ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୧୩ ତାରିଖରେ ଗିରଫ କରାଗଲା। ତାକୁ ୨୪ ଘଣ୍ଟା ମଧ୍ୟରେ କୋର୍ଟଚାଲାଣ କରା ନ ଯାଇ ୪ ଦିନ କାହିଁକି ଭିଆଇପି ଆତିଥେୟତା ଦେଇ ରଖାଗଲା? ଏଥି ପାଇଁ କିଏ ଚାପ ପକାଇଥିଲା? ପୁଣି ୧୭ରେ କୁହାଗଲା ଯେ ସେ ପୁଲିସ ହେପାଜତରୁ ଡେଇଁ ପଳାଇଲା। ଗୋବିନ୍ଦ ସାହୁ ଗୋଡ଼ରେ ରଡ୍ ଲାଗିଛି। ସେ ଡେଇଁ ପଳାଇବାର ପ୍ରଶ୍ନ ଉଠୁନି। ତାକୁ ଜାଣିଶୁଣି ଫେରାର କରାଇ ଦିଆଯାଇଥିଲା ଓ ପ୍ରମାଣ ନଷ୍ଟ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା।

ବିରୋଧୀ ଦଳ ମମିତାଙ୍କ ଚରିତ୍ର ହନନ କରୁଛନ୍ତି ବୋଲି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମିଶ୍ର କହିଛନ୍ତି, ଏବେ ମମିତାଙ୍କୁ ବାପା-ଭାଇଙ୍କୁ ଧରି ସରକାର ମାମଲା କରାଇଛନ୍ତି। ବିରୋଧୀ ଦଳ କେଉଁ ସ୍ଥାନରେ ବି ମମିତାଙ୍କ ଚରିତ୍ର ହନନ କରିନାହାନ୍ତି। ବରଂ ପୁଲିସ ନିଜେ ଚରିତ୍ର ହନନ କରିବାକୁ ଚେଷ୍ଟା କରିଛି। ମମିତା ଅଧ୍ୟକ୍ଷା ହେଲା ପରେ ଗୋବିନ୍ଦ ସାହୁଙ୍କ ତାଙ୍କ ଘନିଷ୍ଠତା ବଢ଼ିଥିଲା ବୋଲି ପୁଲିସ ହିଁ କହିଥିଲା। ମମିତାଙ୍କ ବାପା ପ୍ରଥମେ ମନ୍ତ୍ରୀଙ୍କ ବିରୋଧରେ କହିବା ସହ କଲେଜରେ ଯୌନ ବ୍ୟଭିଚାର ଚାଲିଥିବା କଥା ଉଠାଇଥିଲେ। ପୁଲିସ ମଧ୍ୟ ସେହି କଥା କହିଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ମୁଦାଲାଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀଙ୍କୁ ଟାର୍ଗେଟ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ତଥ୍ୟ ଆଧାରିତ ନୁହେଁ। ତାଙ୍କ ବକ୍ତବ୍ୟ ପ୍ରମାଣିତ କରିଛି ସେ ପରୋକ୍ଷରେ ହତ୍ୟାକାରୀ ଓ ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି। ପରୀ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ହାଇକୋର୍ଟଙ୍କ ତତ୍ତ୍ବାବାଧାନରେ ଏସ୍ଆଇଟି ତଦନ୍ତ ପାଇଁ ଚିଠି ଲେଖିଥିଲେ। ଏଠି କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି।

The post ଦୋଷୀକୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି : ନରସିଂହ first appeared on Sambad.

from ରାଜନୀତି | Sambad https://ift.tt/3xOZJ8I