ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗରେ ରାଜ୍ୟବାସୀଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନ ଉତ୍ତର ନ ଦେଇ ବବି ବାବୁ କାହିଁକି ବାଉଳା ହେଉଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି।

ଟ୍ବିଟ୍‌ କରି ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର କହିଛନ୍ତି, ପ୍ରଣବ ବାବୁ ତୁମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣକୁ ବୁଝି ଅବୁଝା ହେଉଛ। ତୁମ ଦଳ ଆଗରୁ କେଉଁ ତଥ୍ୟ ପ୍ରମାଣ ଆଧାରରେ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ? ସେହି ତଥ୍ୟ କିଏ ଦେଉଥିଲା ? ତାହାକୁ ସାର୍ବଜନୀନ କର। ଚୋର ମୁହଁ ଟାଣ। ଯଦି ଦମ୍ ଅଛି ଓଡ଼ିଆ ଝିଅ ମମିତା ମେହେର ବିଭତ୍ସ ହତ୍ୟା ଘଟଣାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅ। ତୁମ ପୁଲିସ ପ୍ରଶାସନ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଅସମର୍ଥ ଅଛି, ସିବିଆଇକୁ ତଦନ୍ତ ଭାର ଦିଆଗଲେ ପ୍ରମାଣ ବି ସାମ୍ନାକୁ ଆସିବ ଏବଂ ଦୋଷୀ ବନ୍ଧା ହେବ। ରାଜ୍ୟବାସୀଙ୍କ ପକ୍ଷରୁ ଯେଉଁ ପ୍ରଶ୍ନ ପଚରା ଯାଉଛି ତାହାର ଉତ୍ତର ନ ଦେଇ ବାଉଳା କାହିଁକି ହେଉଛ? ବିଜେପି ଅତୀତରେ ଅନେକ ନୈତିକତାର ଉଦାହରଣ ଦେଇଛି। ତୁମେ ଜାଣିନାହଁ, ତୁମ ବାପା ସ୍ୱର୍ଗତ ଅଶୋକ ବାବୁ ଜାଣିଥିଲେ, ଆମ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ସାମାନ୍ୟ ଅଭିଯୋଗ ଭିତିରେ ରାଜନୀତି ଇତିହାସରେ କଠୋର ନିଷ୍ପତ୍ତି ନେଇଥିଲେ। ଏହାକୁ ଅନୁକରଣ କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦଳରୁ ବହିଷ୍କାର କର। ନୈତିକତାର ପାଠ ତୁମେ କାହାକୁ ପଢ଼ାଉଛ? ତୁମେ ଗୋଟେ ଆଞ୍ଚଳିକ ଦଳ। ଉତ୍ତରପ୍ରଦେଶ କଥା ନ କହି ଓଡ଼ିଶା କଥା ବୁଝ। ତୁମ ଶାସନ କାଳରେ ପ୍ରତିଦିନ ୪ଟି ଧର୍ଷଣ, ୬ଟି ଅପହରଣ ଓ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ଏହାର ନୈତିକ ଦାୟିତ୍ୱ କିଏ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

The post ଚୋର ମୁହଁ ଟାଣ : ଜୟ ନାରାୟଣ first appeared on Sambad.

from ରାଜନୀତି | Sambad https://ift.tt/3FC7ZeZ