
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ସଭାମଞ୍ଚରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବସି ପୁଲିସ ଉପରେ ଚାପ ପକାଉଛନ୍ତି। ରାଜ୍ୟ ସରକାର ସତ୍ୟକୁ ଲୁଚାଇବାକୁ ଓ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ସଂପୂର୍ଣ୍ଣ ଚେଷ୍ଟା ଜାରି ରଖିଛନ୍ତି। ଯେଉଁଥିପାଇଁ ଗତକାଲି ଡିଆଇଜି ଦୀପକ କୁମାର ପୁଲିସ ଅଧିକାରୀ ଭାବେ ନୁହେଁ, ବରଂ ବିଜେଡିର ମୁଖପାତ୍ର ଭଳି ପ୍ରତିକ୍ରିୟା ଦେଇଛନ୍ତି ବୋଲି ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ ଡିଆଇଜି ଦୀପକ କୁମାରଙ୍କର ଶନିବାରର ସାମ୍ବାଦିକ ସମ୍ମିଳନୀ ପରେ ପୁଲିସ ବିଭାଗର କାର୍ଯ୍ୟକଳାପ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ବରାବର ସେହି ଶିକ୍ଷାନୁଷ୍ଠାନକୁ ଯାଉଥିଲେ ଏବଂ ପରୀକ୍ଷାରେ ମାର୍କ ବଢାଇଦେବାର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖୁଥିଲେ। ଯିଏ ସଂପର୍କ ରଖୁଥିଲା, ତାର ମାର୍କ ବଢୁଥିଲା। ମମିତା ଏ ସଂପର୍କରେ ଜାଣି ସାରିଥିବାରୁ ଅଭିଯୁକ୍ତମାନେ ଭୟଭୀତ ହୋଇ ହତ୍ୟା କରିଛନ୍ତି। ଏଭଳି ଅନେକ କଥା ଭାଇରାଲ ହୋଇଥିବା ଭିଡିଓରେ ମମିତାଙ୍କ ବାପା ସିଧାସଳଖ ଭାବେ ଦିବ୍ୟଶଙ୍କରଙ୍କ ନାଁ ନେଇ ତାଙ୍କୁ ଦୋଷୀ ବୋଲି କହୁଛନ୍ତି। ଏଭଳି ବୀଭତ୍ସ ଘଟଣାରେ ନିଜ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଶାସକ ବିଜେଡି କ’ଣ ଜବାବ୍ ଦେବ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ପ୍ରକ୍ରିୟା ଯେଉଁ ବାଟରେ ଯାଉଛି, ସେଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କେବେହେଲେ ଦୋଷୀ ସାବ୍ୟସ୍ତ ହେବନି। ମମିତାଙ୍କୁ ପ୍ରକୃତ ନ୍ୟାୟ ପ୍ରଦାନ ଏବଂ ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଲେଖାଶ୍ରୀ ଦାବି କରିଛନ୍ତି ।
The post ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇ ପୁଲିସ ଉପରେ ମୁଖ୍ୟମନ୍ତ୍ରୀ ଚାପ ପକାଉଛନ୍ତି: ବିଜେପି first appeared on Sambad.from ରାଜନୀତି | Sambad https://ift.tt/30uLg5p
0 Comments