
ଚଣ୍ଡୀଗଡ଼: ସେ ନୁହନ୍ତି, ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଭଉଣୀ ମାଳବିକା ସୁଦ୍ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆଜି ଅଭିନେତା ସୋନୁ ସୁଦ୍ ଘୋଷଣା କରିଛନ୍ତି। କିନ୍ତୁ, ମାଳବିକା କେଉଁ ଦଳରେ ଯୋଗ ଦେବେ ତାହା ସେ କହି ନାହାନ୍ତି। ମାଳବିକାଙ୍କୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
କୋଭିଡ୍ ସଙ୍କଟ କାଳରେ ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ଭୂୟସୀ ପ୍ରଶଂସାର ପାତ୍ର ହୋଇଥିବା ଅଭିନେତା ସୋନୁ ରାଜଧାନୀ ଚଣ୍ଡୀଗଡ଼ ଠାରୁ ପ୍ରାୟ ୧୭୦ କିଲୋମିଟର୍ ଦୂର ମୋଗାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ଘୋଷଣା କରିଛନ୍ତି।
ନିଜେ ରାଜନୀତିରେ ଯୋଗ ଦେବା କଥାକୁ ଅସ୍ବୀକାର କରି ସେ କହିଛନ୍ତି ଯେ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତି ତାଙ୍କ ପରିବାରର ଆଗ୍ରହ ରହିଛି। ତାଙ୍କ ପରିବାର ପଞ୍ଜାବବାସୀଙ୍କ ସେବା କରିବାକୁ ଚାହାନ୍ତି।
କିନ୍ତୁ, ଜନତାଙ୍କ ସେବା କରିବା ଲାଗି ସ୍ବାଧୀନତା ଦେଉଥିବା ଯେକୌଣସି ସଙ୍ଗଠନରେ ଯୋଗ ଦେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅପବାଦ ନ ଥିବା ଏବଂ କାମ କରିବାକୁ ସ୍ବାଧୀନତା ମିଳୁଥିବା ଯେକୌଣସି ସଂସ୍ଥାନରେ ମୁଁ ଯୋଗ ଦେଇପାରେ। ସେ ସଙ୍ଗଠନ ରାଜନୈତିକ ବା ଅଣରାଜନୈତିକ ହୋଇପାରେ।
ମାଳବିକା କେଉଁ ଦଳରେ ଯୋଗ ଦେବେ ବୋଲି ପଚରାଯିବାରୁ ସେ କହିଲେ, ଦଳ ନୁହେଁ, ନୀତି ଗରୁତ୍ବପୂର୍ଣ୍ଣ। ମୋ ଭଉଣୀ ଜନତା ଓ ସମାଜର ସେବା କରିବ। କିନ୍ତୁ, ଉଭୟ ‘ଆପ୍’ ଏବଂ ‘କଂଗ୍ରେସ’ ଉତ୍ତମ ଦଳ ବୋଲି ସେ କହିଛନ୍ତି।
ନିକଟ ଅତୀତରେ ଅଭିନେତା ସୁଦ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀଙ୍କୁ ଭେଟିଥିଲେ। ଅତୀତରେ ସୁଦ୍ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଭେଟିବା ପରେ ସେ ତାଙ୍କୁ ସ୍କୁଲ୍ ପିଲାଙ୍କ କାର୍ଯ୍ୟକ୍ରମ ‘ଦେଶ୍କା ମେଣ୍ଟର୍ସ’ର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଘୋଷଣା କରିଥିଲେ।
The post ସୋନୁ ସୁଦ୍ ନୁହନ୍ତି, ପଞ୍ଜାବ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଭଉଣୀ ମାଳବିକା first appeared on Sambad.from ରାଜନୀତି | Sambad https://ift.tt/3oonQH3
0 Comments