ଭୁବନେଶ୍ବର : ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ଶୁକ୍ରବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନିଜର ଶତାଧିକ ସମର୍ଥକଙ୍କ ସହ ଶ୍ରୀ ସାହୁ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ସଞ୍ଜୀବ ସାହୁଙ୍କ ପରି ଅନୁଭବୀ ରାଜନେତା ଓ ତାଙ୍କ ଶତାଧିକ ସମର୍ଥକ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ସ୍ବୀକାର କରି ବିଜେପିରେ ମିଶିବା ସ୍ବାଗତଯୋଗ୍ୟ। ଏହି ଅନୁଭବୀ ନେତାଙ୍କ ଉପସ୍ଥିତି ଅନୁଗୁଳ ସମେତ ଓଡ଼ିଶାରେ ଦଳର ସଂଗଠନକୁ ଦୃଢ଼ କରିବା ସହ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ। ରାଜ୍ୟର ପ୍ରତିଟି ବୁଥ୍‌ରେ ଦଳର ସଂଗଠନକୁ ମଜବୁତ୍ କରିବା ପାଇଁ ସେ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ, ଆଗାମୀ ଦିନରେ ରାଜ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ବିତା ହେବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର କେବଳ ପ୍ରଚାର ସର୍ବସ୍ୱ କାର୍ଯ୍ୟ କରୁଛନ୍ତି। ରାଜ୍ୟବାସୀଙ୍କ ସୁରକ୍ଷା ଅପେକ୍ଷା ନିଜ ଦଳୀୟ ନେତାଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ବ୍ୟସ୍ତ ରହୁଥିବା କାରଣରୁ ଆଜି ରାଜ୍ୟର ମା’, ଭଉଣୀମାନଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ‘ବିଜେଡି ସରକାରରେ, ମହିଳା ବିପଦରେ’ ଏହି କଥାକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିବ। ପଛୁଆ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ବିଜେପିରେ ଯୋଗଦାନ ଦଳର ସଂଗଠନକୁ ଆହୁରି ସଶକ୍ତ କରିବ ବୋଲି ସେ ଆଶାପ୍ରକଟ କରିଥିଲେ।

ବିଜେପିରେ ଯୋଗ ଦେଇଥିବା ଶ୍ରୀ ସାହୁ କହିଥିଲେ, ଏବେ ରାଜ୍ୟରେ ବିକାଶ ଠପ୍ ହୋଇଯାଇଛି। ବିଶେଷ ଭାବେ ଗତ ୫ ବର୍ଷରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟରେ କୌଣସି ବିକାଶ ହୋଇନାହିଁ ବରଂ ବିକାଶରେ ବାଧା ସୃଷ୍ଟି କରାଯାଉଛି। ବିରୋଧୀ ଦମନକୁ ପ୍ରାଧାନ୍ୟ ଦେଇ ଶାସକ ବିଜେଡି ରାଜ୍ୟରେ ଅଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ।

ଏହି ମିଶ୍ରଣ ପର୍ବରେ ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ସାଂସଦ ରୁଦ୍ର ପାଣି, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା, ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଂଚଳ ଖଟେଇ ଓ ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

The post ବିଜେପିରେ ମିଶିଲେ ସଞ୍ଜୀବ ସାହୁ first appeared on Sambad.

from ରାଜନୀତି | Sambad https://ift.tt/3oKuWFT