ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ନ୍ୟାୟିକ ଅଦାଲତର ବିଚାରପତି ବିଜେପି ନେତା ବିକାଶ ମିଶ୍ରଙ୍କ ବିରୋଧରେ ଏକ ନକଲି ଫେସବୁକ୍‌ ଆଇଡି ସୃଷ୍ଟି କରିବା ଏବଂ ସେଥିରୁ କଂଗ୍ରେସ ବିଧାୟକ ନୀଲୟ ଦାଗାଙ୍କ ବିରୋଧରେ ଅପମାନଜନକ ଏବଂ ଆପତ୍ତିଜନକ ବିଷୟ ପୋଷ୍ଟିଂ କରିଥିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ଦାଗାଙ୍କ ଦ୍ୱାରା ଆଗତ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ବିଚାରପତି ଏହି ଆଦେଶ ଦେଇଛନ୍ତି। ଦାଗା ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଅଭିଯୋଗ ଉପରେ ତଦନ୍ତ କରି ପୁଲିସ ଜାଣିବାକୁ ପାଇଥିଲା ଯେ ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟିଂ କରୁଥିବା ନକଲି ଆଇଡି ବିକାଶ ମିଶ୍ରଙ୍କ ଫୋନରୁ ସୃଷ୍ଟି ହୋଇଥିଲା। କିନ୍ତୁ ଏ ନେଇ ବିକାଶ ମିଶ୍ରଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। କାରଣ, ବିକାଶ ମିଶ୍ର ଶାସକ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଅଟନ୍ତି।
ଏହି ମାମଲାର ଶୁଣାଣି କରି ବିଚାରପତି ଏଫଆଇଆରର ନକଲ ଅଦାଲତରେ ଉପସ୍ଥାପନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି ଯେ ଅପରାଧ ଗମ୍ଭୀର ପ୍ରକୃତିର ଏବଂ ଏହାର ସଠିକ୍‌ ଅନୁସନ୍ଧାନ କରାଯିବା ଆବଶ୍ୟକ। ଅପରାଧର ପ୍ରାଥମିକ ତଦନ୍ତରେ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅପରାଧୀର ସନ୍ଧାନ ମିଳିଥିଲେ ସୁଦ୍ଧା ପୁଲିସ୍‌ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅପରାଧୀକୁ ମାମଲାରେ ପକ୍ଷଭୁକ୍ତ କରି ନୂତନ ମାମଲା ଆଗତ କରିବା ପରିବର୍ତ୍ତେ ଅଭିଯୁକ୍ତ ଅପରାଧୀକୁ ସୁରକ୍ଷା ଦେବାକୁ ଯାଇ ତା’ ନାମରେ ମାମଲା ଆଗତ ନକରିବା ପରିତାପର ବିଷୟ ବୋଲି କହି ପୁଲିସ୍‌ର କଟୁ ସମାଲୋଚନା କରିଛନ୍ତି ବିଚାରପତି।

The post କଂଗ୍ରେସ ବିଧାୟକଙ୍କ ବିରୋଧରେ ଅପମାନଜନକ ପୋଷ୍ଟିଂ ମହଙ୍ଗା ପଡ଼ିଲା; ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ଅଦାଲତ first appeared on Sambad.

from ରାଜନୀତି | Sambad https://ift.tt/3nrx7P2