ପୁରୀ : ଆମେ ପୁରୀ ପୌରାଞ୍ଚଳର ମୁକ୍ତା ଯୋଜନା ସମୀକ୍ଷା କାର୍ଯ୍ୟକ୍ରମ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଦୃଢ଼ ବିରୋଧ କରିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କୁ ଟାର୍ଗେଟ୍‌ କରି ସୋସିଆଲ୍‌ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି। ମୁକ୍ତା ଯୋଜନା ପାଇଁ ହୀନ ରାଜନୀତି କରୁଛ ବୋଲି ସିଧାସଳଖ କହିଛନ୍ତି।

ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ ମୁକ୍ତା ଯୋଜନା ବାବଦ ଅର୍ଥ କରଦାତାଙ୍କ ଅର୍ଥରୁ ଖର୍ଚ୍ଚ ହେଉଛି। କିନ୍ତୁ ସରକାରଙ୍କ ଏହି ଯୋଜନାର ସମୀକ୍ଷା ବୈଠକ ଆଜି ବିଜେଡିର ଦଳୀୟ ନେତାଙ୍କୁ ନେଇ ଲୁଚାଛପାରେ ଆୟୋଜନ କରାଯାଇଛି। ପୁରୀ ପୌରାଞ୍ଚଳର ଯୋଜନାର ସମୀକ୍ଷା ପୌରପାଳିକାର କାର୍ଯ୍ୟାଳୟରେ ହେବା କଥା। କିନ୍ତୁ ଜାଣିଶୁଣି ଏହାକୁ ପୁରୀ ସଦର ବ୍ଲକ୍‌ ସମ୍ମିଳନୀ କକ୍ଷରେ କରାଯାଇଛି। ସରକାରୀ ଅର୍ଥରେ ଆୟୋଜିତ ଏହି ବୈଠକରେ ଦଳୀୟ ନେତାଙ୍କ ଉପସ୍ଥିତିକୁ ସେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ସରକାରୀ କାର୍ଯ୍ୟାଳୟ କୌଣସି ଦଳର କାର୍ଯ୍ୟାଳୟ ନୁହେଁ ଯେ ଦଳୀୟ ନେତା ବସି ଏଠି ସମୀକ୍ଷା କରିବେ। ଏଥିରେ ଜନସାଧାରଣଙ୍କ ସ୍ବାର୍ଥ ଜଡ଼ିତ ରହିଛି।

ମହେଶ୍ବରଙ୍କ ଇଙ୍ଗିତ କରି କହିଛନ୍ତି ଯେ ଜନତା ସେମାନଙ୍କ ପ୍ରତିନିଧି ଭାବେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ଏବେ ମୁଁ ଜନ ପ୍ରତିନିଧି। ଜନତାଙ୍କୁ ପ୍ରତିନିଧିତ୍ବ କରୁଛି, ମୋତେ ମୋ ତାଙ୍କ କାମ କରିବାକୁ ଦିଅନ୍ତୁ। ଏପରିକି ବିଧାୟକ ଶ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରି କହିଛନ୍ତି ଯେ ଏପରି ହୀନ ରାଜନୀତି ବନ୍ଦ ନ ହେଲେ ଆଗାମୀ ଦିନରେ ଜନଆକ୍ରୋଶ ବଢ଼ିବ। ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏହି ପ୍ରସଙ୍ଗ ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ମୁକ୍ତା ଯୋଜନା ବୈଠକ ନେଇ ମହେଶ୍ବରଙ୍କୁ ଜୟନ୍ତଙ୍କ ସମାଲୋଚନା: ‘ମୁଁ ଜନପ୍ରତିନିଧି, ମୋତେ କାମ କରିବାକୁ ଦିଅ’ first appeared on Sambad.

from ରାଜନୀତି | Sambad https://ift.tt/320MG8k