
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ତଥା ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ରବିବାର ଦିନ ଜାତୀୟ ରାଜଧାନୀରେ ଅନୁଷ୍ଠିତ ହେଉଥିବା ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି। ବିଜେପି ଦଳର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ମଧ୍ୟ ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।
ରବିବାର ଦିନ ବିଜେପିର ବରିଷ୍ଠ ନେତାମାନେ ଜାତୀୟ କାର୍ଯ୍ୟନିର୍ବାହୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଦେଶରେ ୧୦୦ କୋଟିରୁ ଅଧିକ କୋଭିଡ୍-୧୯ ଟିକା ପ୍ରଦାନ କରି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଥିବାରୁ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରାଯାଇଥିଲା।
ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନୀତୀନ ଗଡକରୀ, ରାଜନାଥ ସିଂ, ପୀୟୂଷ ଗୋୟଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହସିକ ନିଷ୍ପତ୍ତି ଓ ପ୍ରଚେଷ୍ଟା କାରଣରୁ ଏହା ସମ୍ଭବପର ହୋଇପାରି ଥିବାରୁ ସେ ତାଙ୍କର ପ୍ରଶଂସା କରିଥିଲେ। ଏଥିସହ କୋଭିଡ୍-୧୯ ମହାମାରୀ ମଧ୍ୟରେ ଲକଡାଉନ୍ ଏବଂ ପରବର୍ତ୍ତୀ ଅର୍ଥନୈତିକ ଆହ୍ଵାନର ମୁକାବିଲା ଉପରେ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଆଲୋଚନା କରାଯିବା ସହ ସାମ୍ପ୍ରତିକ ଉପ-ନିର୍ବାଚନ ଫଳାଫଳ ଉପରେ ବିଚାର ବିମର୍ଶ କରିବ ଏବଂ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ସାତଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ନିର୍ଦ୍ଧାରଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ।
The post ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ: ଯୋଗଦେଲେ ବରିଷ୍ଠ ନେତା ଆଡଭାନୀ first appeared on Sambad.from ରାଜନୀତି | Sambad https://ift.tt/3ES40ub
0 Comments