
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଆଜି ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ପର ଠାରୁ ଏହା ହେଉଛି ତାଙ୍କର ତୃତୀୟ ଦିଲ୍ଲୀ ଗସ୍ତ।
ସେ ବାରମ୍ବାର ଅମିତ ଶାହାଙ୍କୁ ଭେଟୁଥିବାରୁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ନିମନ୍ତେ ନିଜେ ରାଜନୈତିକ ଦଳ ଗଠନ କରି ‘ବିଜେପି’ ସହ ମେଣ୍ଟ କରିବେ କିଂବା ଆସନ ବୁଝାମଣା କରିବେ ବୋଲି କଳ୍ପନାଜଳ୍ପନା ତୀବ୍ରତର ହେଉଛି।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଅମିତ ଶାହଙ୍କ ସହ ଆଜିର ବୈଠକରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନର ଆମାୟିକ ସମାଧାନ ବିଷୟରେ ଆଲୋଚନା କରିପାରନ୍ତି।
କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଦ୍ୱାରା ଅପମାନିତ ହୋଇଥିବା ଦର୍ଶାଇ ସିଂହ ଗତମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନଭିଜ୍ଞ ବୋଲି ଅଭିହିତ କରିଥିଲେ।
ପୂର୍ବରୁ ମଧ୍ୟ ସିଂହ ନୂଆଦିଲ୍ଲୀରେ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟାନ୍ୟ ଶୀର୍ଷସ୍ତରୀୟ ନେତାଙ୍କୁ ଭେଟିଥିଲେ। ଏବେ ସିଂହ ତାଙ୍କର ସମସ୍ତ ବିକଳ୍ପ ଉନ୍ମୁକ୍ତ ରଖିଥିବା କଥା ତାଙ୍କ ନିକଟତମମାନଙ୍କ ସୂତ୍ରରୁ ଜଣାପଡ଼ିଛି।
The post ଆଜି ପୁଣି ଅମିତ ଶାହଙ୍କୁ ଭେଟିବେ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହ first appeared on Sambad.from ରାଜନୀତି | Sambad https://ift.tt/3vqlH0r
0 Comments