ଲକ୍ଷ୍ନୌ: ଇନ୍ଧନ ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧିକୁ ନେଇ ଦେଶର ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏ ପରିସ୍ଥିତିରେ କେନ୍ଦ୍ରର ମୋଦୀ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଆଜି (ଗୁରୁବାର) କହିଛନ୍ତି ଯେ ଦେଶର ୯୫ ପ୍ରତିଶତ ଲୋକଙ୍କୁ ପେଟ୍ରୋଲର ଆବଶ୍ୟକତା ନାହିଁ। ମନ୍ତ୍ରୀ ତିଓ୍ଵାରୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି ଦେଶର ଇନ୍ଧନ ମୂଲ୍ୟ ତୁଳନାରେ ମୁଣ୍ଡପିଛା ଆୟ ତୁଳନା କରାଯାଏ ତେବେ ଇନ୍ଧନ ମୂଲ୍ୟ ବହୁତ କମ୍‌।

ଗଣମାଧ୍ୟମକୁ ବିବୃତି ଦେଇ ୟୁପିର ବିଜେପି ମନ୍ତ୍ରୀ ତିଓ୍ଵାରୀ କହିଛନ୍ତି, ‘କେବଳ ହାତଗଣତି ଲୋକ ଚାରି ଚକିଆ ଯାନ ବ୍ୟବହାର କରନ୍ତି ଏବଂ ପେଟ୍ରୋଲ ଆବଶ୍ୟକ କରନ୍ତି। ୯୫ ପ୍ରତିଶତ ଲୋକଙ୍କର ପେଟ୍ରୋଲର ଆବଶ୍ୟକତା ନାହିଁ। ୧୦୦ କୋଟିରୁ ଅଧିକ ଟିକା ଡୋଜ୍‌ ଲୋକଙ୍କୁ ମାଗଣାରେ ଦିଆଯାଇଥିଲା… ଯଦି ଆପଣ ମୁଣ୍ଡପିଛା ଆୟ ସହିତ (ଇନ୍ଧନ ମୂଲ୍ୟ) ତୁଳନା କରନ୍ତି, ତେବେ ମୂଲ୍ୟ ବର୍ତ୍ତମାନ ବହୁତ କମ’।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସମଗ୍ର ଦେଶରେ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ଏପରିସ୍ଥିତିରେ ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କର ଏପ୍ରକାର ବକ୍ତବ୍ୟକୁ ନେଇ ଦେଶ ବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା।

The post ଚର୍ଚ୍ଚାରେ ୟୁପି ମନ୍ତ୍ରୀଙ୍କ ବୟାନ: ‘୯୫ ପ୍ରତିଶତ ଲୋକଙ୍କର ପେଟ୍ରୋଲ ଦରକାର ନାହିଁ’… first appeared on Sambad.

from ରାଜନୀତି | Sambad https://ift.tt/3ppUB8W