ମିଶ୍ରଣ ପର୍ବରେ ସାମିଲ୍ ହେଲେନି ଅଶୋକ
ଭାଇ-ଭଉଣୀ ଅସନ୍ତୋଷ ଜଳଜଳ
ଅଶୋକଙ୍କ ଗାଦି ଛଡ଼ାଇବେ କି ଅଞ୍ଜଳି?

ଢେଙ୍କାନାଳ/ରାସୋଳ/ହିନ୍ଦୋଳ : ହିନ୍ଦୋଳ ନିର୍ବାଚନମଣ୍ଡଳୀର ତିନି ତିନିଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସୋମବାର ବିଜେପିରେ ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକଙ୍କ ମନ୍ତବ୍ୟକୁ ନେଇ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ମିଶ୍ରଣ ପର୍ବରେ ଅଶୋକ ଅନୁପସ୍ଥିତ ରହିବା ଏବଂ ତାଙ୍କୁ ଭଉଣୀ ଡାକିନଥିବା ସେ କହିବା ପରେ ପରିବାର ଭିତରେ ସବୁ କିଛି ଠିକ୍‌ ଚାଲି ନ ଥିବା କୁହାଯାଉଛି।

ରାଜନୀତି ପୃ‌ଷ୍ଠଭୂମି ଦୃଷ୍ଟିରୁ ଅଞ୍ଜଳି ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବେଶ୍ ପୁରୁଖା। ବାପା ତ୍ରିନାଥ ନାଏକ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ଏକାଧିକ ଥର ବିଧାୟକ ଭାବେ ଜିତି ବିଜୁ ପଟ୍ଟନାୟକଙ୍କ ଅମଳରେ ମନ୍ତ୍ରୀ ପଦ ହାସଲ କରିଥିଲେ। ତ୍ରିନାଥଙ୍କ ଅନ୍ତେ ତାଙ୍କ ପତ୍ନୀ ପାଟ ନାୟକ ବିଧାୟିକା ହୋଇଥିଲେ। ତା’ପରେ ବିଜେଡ଼ିର ମଙ୍ଗ ଧରିଥିଲେ ଝିଅ ଅଞ୍ଜଳି। ୨୦୦୦ରୁ ୨୦୧୪ ଯାଏ କ୍ରମାଗତ ଭାବେ ୩ଥର ବିଜେଡିରୁ ବିଜୟୀ ହୋଇ ବିଧାୟିକା ହେବା ସହ ଦୁଇ ଥର ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। କ୍ୟାବିନେଟ୍ ପାହ୍ୟା ମଧ୍ୟ ପାଇଥିଲେ। ୨୦୧୨ମସିହା ମିଡ୍‌ନାଇଟ୍‌ ଅପରେସନ୍‌ ପାଇଁ ଅଞ୍ଜଳିଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା। ୨୦୧୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ୍ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏହାପରେ ଅଞ୍ଜଳିଙ୍କ ପାଇଁ ବିଜେଡି ବାଟ ଏକପ୍ରକାର ବନ୍ଦ ହୋଇ ଯାଇଥିଲା।

ଅପରପକ୍ଷରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଅଞ୍ଜଳିଙ୍କ ସାନ ଭାଇ ଅଶୋକଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଥିଲା। ଏହି ନିର୍ବାଚନରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ପାଇଁ ଅଶୋକଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି। ଯଦିଓ ଭାଇ ଅଶୋକଙ୍କ ପାଇଁ ଅଞ୍ଜଳି ସେତେବେଳେ ନିର୍ବାଚନ ପ୍ରଚାର କରୁଥିଲେ, କିନ୍ତୁ ବିଜେପିରେ ବିଧିବଦ୍ଧ ସାମିଲ ହୋଇ ନ ଥିଲେ। ଏପଟେ ଆଜି ବିଜେପିରେ ସାମିଲ୍ ହେବା ପାଇଁ ଅଞ୍ଜଳି ନିଜ ସମର୍ଥକଙ୍କୁ ନେଇ ରାଜଧାନୀକୁ ଗଲାବେଳକୁ ହିନ୍ଦୋଳ ନେତୃତ୍ବ ଦାୟିତ୍ବରେ ଥିବା ସାନଭାଇ ଅଶୋକ ସମାବେଶରେ ଯୋଗ ନ ଦେବା, ଅଞ୍ଜଳି ତାଙ୍କୁ ନ ଜଣାଇବା ଘଟଣା ଭାଇ-ଭଉଣୀ ମଧ୍ୟରେ ଥିବା ଅସନ୍ତୋଷକୁ ସୂଚାଇ ଦେଉଛି।

ମିଶ୍ରଣ ପର୍ବ ସମ୍ପର୍କରେ ଅଶୋକ କହିଛନ୍ତି, ମିଶ୍ରଣ ପର୍ବ ସମ୍ପର୍କରେ ମୁଁ ଦୁଇ ଦିନ ତଳେ ପାର୍ଟି ଅଫିସ୍‌ରୁ ଜାଣିଲି। କିନ୍ତୁ, ମୋ ଭଉଣୀ ଏ ସମ୍ପର୍କରେ ମୋତେ କିଛି ଜଣାଇନାହାନ୍ତି। ମୁଁ ବାହାରେ ଥିବାରୁ ସମାବେଶରେ ଯୋଗ ଦେଇପାରିଲି ନାହିଁ ବୋଲି ଅଶୋକ ‘ସମ୍ବାଦ’କୁ କହିଛନ୍ତି। ଅପରପକ୍ଷରେ ତାଙ୍କୁ ହଟାଇ ବିଜେପି ଭଉଣୀଙ୍କୁ ଟିକେଟ ଦେବାକୁ ଚାହୁଁଛି କି ବୋଲି ପ୍ରଶ୍ନର ଉତ୍ତରରେ ‘ଏହା ସମୟ କହିବ ବୋଲି ଅଶୋକ କହିଛନ୍ତି।’

The post ଅଞ୍ଜଳିଙ୍କ ବିଜେପିରେ ଯୋଗଦାନକୁ ନେଇ ଅଶୋକଙ୍କ କ୍ଷୋଭ: ‘ପାର୍ଟି ଡାକିଲା, ଭଉଣୀ ଜଣାଇଲେନି’ first appeared on Sambad.

from ରାଜନୀତି | Sambad https://ift.tt/3pggXtw