ଜାମ୍ମୁ: ନ୍ୟାସନାଲ କନଫରେନ୍ସ (ଏନ୍‌ସି)ର ସୁପ୍ରିମୋ ଫାରୁକ୍‌ ଅବଦୁଲ୍ଲାଙ୍କୁ ଆଜି ଲାଗିଛି ଏକ ଶକ୍ତ ଝଟକା। ଦଳର ଦୁଇ ପ୍ରମୁଖ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସ୍ଲାଥିଆ ଆଜି (ରବିବାର) ଦଳରୁ ଇସ୍ତଫା ଦେଇଥିବାରୁ ଜାମ୍ମୁରେ ଦଳ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପୁଣି ଦଳ ଛାଡ଼ିଥିବା ଏହି ଦୁଇ ବରିଷ୍ଠ ନେତା ଆସନ୍ତାକାଲି (ସୋମବାର) ଦିଲ୍ଲୀରେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି।

ଫାରୁକ୍‌ ଅବଦୁଲ୍ଲା ଶ୍ରୀ ସ୍ଲାଥିଆ ଏବଂ ଶ୍ରୀ ରାଣାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଦଳର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜାମ୍ମୁରେ ଏନସିର ପ୍ରାଦେଶିକ ସଭାପତି ଥିବା ଶ୍ରୀ ରାଣା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏସ୍‌ ସ୍ଲାଥିଆ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛୁ। ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ତଥା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସାନଭାଇ ଶ୍ରୀ ରାଣା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ରାଜନୈତିକ ପରାମର୍ଶଦାତା ପଦବୀ ଛାଡିବା ପରେ ୨୦୧୧ରେ ଦଳର ପ୍ରାଦେଶିକ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ନ୍ୟାସନାଲ କନଫରେନ୍ସ ଛାଡ଼ିଥିବା ଏହି ଦୁଇ ବରିଷ୍ଠ ନେତା ଆସନ୍ତାକାଲି (ସୋମବାର) ଦିଲ୍ଲୀରେ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

The post ଫାରୁକ୍‌ ଅବଦୁଲ୍ଲାଙ୍କୁ ଝଟ୍‌କା: ନ୍ୟାସନାଲ କନଫରେନ୍ସ ଛାଡ଼ିଲେ ୨ ବରିଷ୍ଠ ନେତା; ଯୋଗଦେବେ ବିଜେପିରେ first appeared on Sambad.

from ରାଜନୀତି | Sambad https://ift.tt/3armDba