ପିପିଲି : ପିପିଲି ଉପନିର୍ବାଚନ ଦୁଇଥର ସ୍ଥଗିତ ରହିବାପରେ ତୃତୀୟ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଉତ୍ସାହ ଦେଖାଯାଇଛି। ତେବେ ସୋମବାରଠାରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଦଳର ପ୍ରଚାରରେ ପିପିଲି କମ୍ପୁଛି।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସୋମବାର ଦାଣ୍ତମୁକୁନ୍ଦପୁରସ୍ଥିତ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପୂଜାପାଠ କରିବା ପରେ ପ୍ରଚାରକୁ ବାହାରିଥିଲେ। ପ୍ରଥମ ଦିନରେ ନିଜେ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଦାଣ୍ତମୁକୁନ୍ଦପୁର ପଞ୍ଚାୟତର ଗଡିଉପର ସାହିରୁ ପ୍ରଚାର ଆରମ୍ଭ କରି ବାଇଟାଙ୍ଗି, ବାସୁଦେଇପୁର, କୋଠବାଡ, ପଦ୍ମକଇଁରୀ, ମୁର୍ଦ୍ଧନୀପୁର ଆଦି ଗ୍ରାମମାନଙ୍କରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।

ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ସ୍ଥାନୀୟ ବାଟମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜ ପୈତୃକ ଗାଁ ପାଣିଦୋଳ ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି। କରୋନା ନିୟମ ଆଧାରରେ ଭୋଟରଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଆଜି ପମସରା ପଂଚାୟତର ଶ୍ରୀ ଗତିଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ କର୍ମୀମାନଙ୍କୁ ସାଙ୍କରେ ଧରି ପ୍ରଚାରକୁ ଓହ୍ଲାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ଆଜିଠାରୁ ପ୍ରଚାର ଆରମ୍ଭ ହେବା ନେଇ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଥିଲେ।

The post ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ first appeared on Sambad.

from ରାଜନୀତି | Sambad https://ift.tt/3hTt8YG