ପାନାଜୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣେ ‘ଷ୍ଟ୍ରିଟ୍‌ଫାଇଟର୍‌’ ଏବଂ ସେ ‘ବିଜେପି’କୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଇପାରିବେ କହି ଭୂୟସୀ ପ୍ରଶଂସା କରିବା ପରେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ କିଛି ସମୟ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ‌ ପାର୍ଟିରେ ୪୦ ବର୍ଷ ଧରି ସଦସ୍ୟ ଥିବା ଫଲେରିଓ ମମତାଙ୍କ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବେ ବୋଲି ଶୁଣାଯାଉଛି।

ଦଳ ବଦଳ ସମ୍ପର୍କରେ ସୁନିଶ୍ଚିତ କରାଇବାକୁ ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ମମତା ବାନାର୍ଜୀ ନରେନ୍ଦ୍ର ମ‌ୋଦୀଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ କରାଇଛନ୍ତି। ବଙ୍ଗରେ ମମତାଙ୍କ ସୂତ୍ର ବିଜୟୀ ହୋଇଛି। ‘ବିଜେପି’ ସହ ଲଢ଼ିବା ପାଇଁ ସର୍ବୋତମ ତଥା ଉପଯୁକ୍ତ ଭାବେ ସଜ୍ଜିତ ‘ତୃଣମୂଳ କଂଗ୍ରେସ’କୁ ସେ  ‘କଂଗ୍ରେସ’ରୁ ଗଜୁରିଥିବା ଶାଖା ବୋଲି ମନେକରନ୍ତି କହି ସେ ବୃହତ୍ତର କଂଗ୍ରେସ ପରିବାରର କଂଗ୍ରେସ ସଦସ୍ୟ ହୋଇ ରହିବେ ବୋଲି ଜୋର୍‌ ଦେଇ କହିଛନ୍ତି।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କିଛି ଲୋକଙ୍କୁ ଭେଟିଲି। ୪୦ ବର୍ଷ ହେବ କଂଗ୍ରେସିଆ ‌ହୋଇ ରହିଛି ବୋଲି ସେମାନେ ମୋତେ କହିଲେ। ମୁଁ କଂଗ୍ରେସ ପରିବାରରେ ଜଣେ କଂଗ୍ରେସିଆ ହୋଇ ରହିବି। ଚାରିଟିଯାକ କଂଗ୍ରେସ ମଧ୍ୟରୁ ମମତା ବାନାର୍ଜୀ ହିଁ ମୋଦୀ ଏବଂ ତାଙ୍କ ଦୁର୍ବାର କର୍ମୀଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ କରାଇପାରିଛନ୍ତି। ବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ ଏବଂ ଅମିତ ଶାହ ୨୫୦ଟି ସଭା କରିଥିଲେ। ଏହାଛଡ଼ା, ‘ଇଡି’ ଓ ‘ସିବିଆଇ’ ମଧ୍ୟ ଥିଲେ, କିନ୍ତୁ ମମତା ସୂତ୍ର ବିଜୟୀ ହେଲା।

ପ୍ରାପ୍ତ ସୂଚନା ଅନୁସାରେ, ଫଲେରିଓଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ’ବ୍ରାଇନ୍‌ ଏବଂ ପ୍ରସୂନ ବାନାର୍ଜୀ ଗୋଆରେ ଅଛନ୍ତି।

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଅନ୍ୟ ରାଜ୍ୟମାନଙ୍କ ସହ ଆସନ୍ତା ବର୍ଷ ଗୋଆରେ ମଧ୍ୟ ବିଧାନସଭା ନିର୍ବାଚନ କରାଯିବ।

The post ମମତା ବାନାର୍ଜୀଙ୍କୁ ପ୍ରଶଂସା କରିବାର ଅଳ୍ପ କ୍ଷଣ ପରେ କଂଗ୍ରେସ ପରିତ୍ୟାଗ କଲେ ଗୋଆ ନେତା ଲୁଇଜିହ୍ନୋ ଫଲେରିଓ first appeared on Sambad.

from ରାଜନୀତି | Sambad https://ift.tt/39VlsAR