ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀଙ୍କୁ ଭେଟିବା ଲାଗି ନବଜୋତ୍‌ ସିଂହ ସିଦ୍ଧୁ ସମ୍ମତି ଦେଇଛନ୍ତି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ସିଦ୍ଧୁ ଲେଖିଛନ୍ତି, ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ନିମନ୍ତ୍ରଣ କରିଛନ୍ତି। ଆଜି ଅପରାହ୍ଣ ୩ଟାରେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ଭବନରେ ପହଞ୍ଚି ନିମନ୍ତ୍ରଣ ରକ୍ଷା କରିବି। ଯେକୌଣସି ପ୍ରକାରରର ଆଲୋଚନା ପାଇଁ ମୁଁ ତାଙ୍କୁ ସ୍ବାଗତ କରୁଛି।

ପୂର୍ବରୁ ସିଦ୍ଧୁଙ୍କର ଜଣେ ସହଯୋଗୀ କହିଥିଲେ କି, ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ରହିବେ ଏବଂ ଆଗାମୀ ବର୍ଷ ନିର୍ବାଚନରେ କଂଗ୍ରେସର ନେତୃତ୍ବ ନେବେ। ଆଜି ସକାଳେ ମଧ୍ୟ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫା କହିଥିଲେ, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। କଂଗ୍ରେସ ନେତୃତ୍ବ ସିଦ୍ଧୁଙ୍କ ମନୋଭାବ କଥା ଜାଣନ୍ତି। ସିଦ୍ଧୁ ମଧ୍ୟ କଂଗ୍ରେସ ନେତୃତ୍ବକୁ ଅମାନ୍ୟ କରନ୍ତି ନାହିଁ। ସେ କଂଗ୍ରେସ ନେତୃତ୍ବକୁ ହେୟଜ୍ଞାନ କରୁଥିବା ଅମରିନ୍ଦର୍‌ ସିଂହଙ୍କ ପରି ନୁହନ୍ତି।

Image Courtesy of Opoyi.com

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିଦ୍ଧୁ ବେଳେ ବେଳେ ଭାବାବେଗ-ଚାଳିତ ହୋଇ କାମ କରନ୍ତି ବୋଲି କଂଗ୍ରେସ ନେତୃତ୍ବ ହୃଦୟଙ୍ଗମ କରିଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନୀ ସିଦ୍ଧୁଙ୍କୁ ଫୋନ୍ କରି ସୂଚନା ଦେଇଥିଲେ କି, କେତେକ ନିଯୁକ୍ତି ଉପରେ ପୁନର୍ବିଚାର କରାଯାଇ ପାରେ। ପରେ ସାମ୍ବାଦିକମାନଙ୍କୁ ଚନ୍ନୀ କହିଥିଲେ, ଦଳ ପରାମର୍ଶରେ ବିଶ୍ବାସ କରେ ବୋଲି ମୁଁ ସିଦ୍ଧୁଙ୍କୁ କହିଛି। ଦୟାପୂର୍ବକ ଆସିଲେ ଆମେ ସବୁ ସମାଧାନ କରିପାରିବା। ଯଦି କ‌ୌଣସି ନିଯୁକ୍ତି ଉପରେ କାହାର ଆପତ୍ତି ଥିବ, ମୁଁ ସେଥିପ୍ରତି ଅନମନୀୟ ହେବି ନାହିଁ। ଏଥିରେ ଅହଙ୍କାରର ସଂଘାତ ବା ସଂଘର୍ଷ ନାହିଁ।

The post ଆଜି ଅପରାହ୍ଣ ୩ଟାରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଜୋତ୍‌ ସିଦ୍ଧୁ first appeared on Sambad.

from ରାଜନୀତି | Sambad https://ift.tt/3B9YpOJ