ପାଟନା: ୨୦୧୯ ନିର୍ବାଚନ ସମୟରେ ଲୋକସଭା ଟିକେଟ୍‌ ଲାଗି ୫ କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗରେ ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ ଏବଂ ମିସା ଭାରତୀଙ୍କ ସମେତ ୬ଜଣଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିବା ପାଇଁ ପାଟନାର ଏକ ଅଦାଲତ ଆଦେଶ ଦେଇଛନ୍ତି।

କଂଗ୍ରେସ ନେତା ସଞ୍ଜୀବ କୁମାର ସିଂହଙ୍କ ଅଭିଯୋଗକ୍ରମେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିବା ପାଇଁ ଆଦେଶ ଦିଆଯାଇଛି। ସେ ଅଭିଯୋଗ କରିଥିଲେ କି, ଭାଗଲପୁର ଲୋକସଭା ଆସନ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇ ତାଙ୍କୁ ୫ କୋଟି ଟଙ୍କା ମଗାଯାଇଥିଲା।

ଅଭିଯୋଗକାରୀ ବିହାର ରାଜ୍ୟ କଂଗ୍ରେସର ସଭାପତି ମଦନମୋହନ ଝା, କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର୍‌ ଏବଂ ଦିବଂଗତ କଂଗ୍ରେସ ନେତା ସଦାନନ୍ଦ ସିଂହଙ୍କ ପୁତ୍ର ଶୁଭାନନ୍ଦ ମୁକେଶଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

୨୦୧୯ ଜାନୁଆରି ୧୫ ତାରିଖ ଦିନ ତେଜସ୍ବୀ ଯାଦବ, ମିସା ଭାରତୀ, ମଦନମୋହନ ଝା, ସଦାନନ୍ଦ ସିଂହ ଏବଂ ରାଜେଶ ରାଠୋର୍‌ ତାଙ୍କ ଠାରୁ ୫ କୋଟି ଟଙ୍କା ନେଇ ଭାଗଲପୁର ଲୋକସଭା ଆସନ ପାଇଁ ଟିକେଟ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ କରି ଏବର୍ଷ ଅଗଷ୍ଟ ୧୮ ତାରିଖରେ ସଞ୍ଜୀବ କୁମାର ସିଂହ ପାଟନା ‘ସିଜିଏମ୍‌ କୋର୍ଟ’ରେ ମାମଲା ଦାଏର କରିଥିଲେ।

ଅଭିଯୋଗ ପତ୍ରରେ କଂଗ୍ରେସ ନତୋ ସିଂହ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲୋକସଭା ଆସନ ପାଇଁ ଟିକେଟ୍‌ ଦିଆ ନ ଯାଇ ୨୦୨୦ ବିଧାନସଭା ନିର୍ବାଚନରେ ‘ମହାଗଠବନ୍ଧନ’ରୁ ତାଙ୍କୁ ଟିକେଟ୍‌ ମିଳିବ ବୋଲି ଭରସା ଦିଆଗଲା। କିନ୍ତୁ, ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଟିକେଟ୍‌ ମିଳିଲା ନାହିଁ।

Image Courtesy of Free Press Journal

କୋଟୱାଲି ଥାନାରେ ସମସ୍ତ ଅଭିଯୁକ୍ତଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିବା ଲାଗି ମାମଲା ଶୁଣାଣି କରି ‘ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌’ ବିଜୟକିଶୋର ସିଂହ ସେପ୍ଟେମ୍ବର ୧୬ ତାରିଖ ଦିନ ପାଟନା ଏସ୍‌.ଏସ୍‌.ପି. ଉପେନ୍ଦ୍ର ଶର୍ମାଙ୍କୁ ନିର୍ଦେଶ ଦେଇଛନ୍ତି।

ଅଦାଲତଙ୍କ ନିର୍ଦେଶ ସମ୍ପର୍କରେ ଜାଣିବା ପରେ ‘ଜନତା ଦଳ (ୟୁନାଇଟେଡ୍‌) ‘ଆର୍‌ଜେଡି’କୁ ତୀବ୍ର ସମାଲୋଚନା କରିଛି। ପୂର୍ବତନ ମନ୍ତ୍ରୀ ତଥା ‘ଜେଡି(ୟୁ)’ ‘ଏମ୍‌ଏଲ୍‌ସି’ ନୀରଜ କୁମାର ଟୁଇଟ୍ କରିଛନ୍ତି: ମନ୍ଦର ଫଳ ମନ୍ଦ। ଆଇନର ବାହୁ ଖୁବ୍‌ ଦୀର୍ଘ। ବଂଶବାଦୀ‘ଆର୍‌ଜେଡି’ରେ ଯେଉଁମାନେ ଅର୍ଥ ପାଇଁ ଟିକେଟ୍‌ ବ୍ୟବସାୟ କରୁଛନ୍ତି, ସେମାନେ ରାଜନୀତିରେ କେତେ ତଳକୁ ଖସି ପାରିବେ, ଜଣାନାହିଁ।

କିନ୍ତୁ, ତେଜସ୍ବୀ ଯାଦବ ଏବଂ ମିସା ଭାରତୀଙ୍କ ନାମରେ ଉଠିଥିବା ସମସ୍ତ ଅଭିଯୋଗକୁ ‘ଆର୍‌ଜେଡି’ ଖଣ୍ଡନ କରିଛି। ‘ଆର୍‌ଜେଡି’ ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରି କହିଛନ୍ତି, ‘ମହାଗଠବନ୍ଧନ’ ନେତାଙ୍କୁ ୫ କୋଟି ଟଙ୍କା ଦେଇଛନ୍ତି ବୋଲି ଅଭିଯୋଗ କରିଥିବା ବ୍ୟକ୍ତିଜଣଙ୍କ ମାନସିକ ବିକାରଗ୍ରସ୍ତ। ‘ମହାଗଠବନ୍ଧନ’ ନେତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରି ଅଭିଯୋଗକାରୀ ଶସ୍ତା ଜନପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି।

The post ଲୋକସଭା ଟିକେଟ୍‌ ପାଇଁ ୫ କ‌ୋଟି ଟଙ୍କା! ‘ଆର୍‌ଜେଡି’ର ତେଜସ୍ବୀ ଯାଦବ ଏବଂ ଅନ୍ୟ ୫ଜଣଙ୍କ ନାଁରେ ‘ଏଫ୍‌ଆଇଆର୍’ ଲାଗି ପାଟନା କୋର୍ଟଙ୍କ ଆଦେଶ first appeared on Sambad.

from ରାଜନୀତି | Sambad https://ift.tt/3ziKpjT