ବାରିପଦା: ପ୍ରଥମେ ଦଳରୁ ଇସ୍ତଫା ଆଉ ପୁଣି ଲେଉଟାଣି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସେମାନଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ଆଣି ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପଦ୍ମ ଦଳରୁ ଇସ୍ତଫା ଦେଇଥିବା ୭ ଜିଲ୍ଲା ପରିଷଦ ସଦସ୍ୟ। ଶୁକ୍ରବାରଠାରୁ ଜିଲ୍ଲାରେ ରାଜ‌ନୈତିକ ହଟଚମଟ ଥମିବାର ନା ନେଉନାହିଁ। ବିଜେପିରୁ ଇସ୍ତଫା ଦେଇଥିବା ୧୫ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରୁ ଗତକାଲି ଦଳକୁ ୫ ଜଣ ଫେରିଥିଲେ।

ଆଜି ଆହୁରି କିଛି ସଦସ୍ୟ ଦଳକୁ ଫେରିଥିବା ବିଜେପି ଦାବି କରିଛି। ଅଥଚ ବିଜେପି ଦଳ ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣି ଆଜି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ(ଏସ୍‌ପି)ଙ୍କୁ ଭେଟି ସୁରକ୍ଷା ଲୋଡ଼ିଛନ୍ତି ଦଳ ଛାଡ଼ିଥିବା ୭ ଜିଲ୍ଲା ପରିଷଦ ସଦସ୍ୟ। ୭ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ସମାୟ ଚରଣ ପୂର୍ତ୍ତି, ୧୦ ନମ୍ବର ଜୋନ୍‌ର ସାରିନା ହେମ୍ବ୍ରମ୍‌, ୧୮ ନମ୍ବର ଜୋନ୍‌ର ଅଜିତ କଣ୍ଢେଇ, ୧୪ ନମ୍ବର ଜୋନ୍‌ର ଜୟନ୍ତୀଲତା ସିଂ, ୧୭ ନମ୍ବର ଜୋନ୍‌ର ଦୀପାଞ୍ଜଳୀ ନାଏକ, ୧୯ ନମ୍ବରର ରାଇମଣି ହାଁସଦା ଏବଂ ୨୩ ନମ୍ବର ଜୋନ୍‌ର କୁମାରେନ୍ଦ୍ର କୁମାର ସେଠୀ ପ୍ରମୁଖ ଆଜି ଏସ୍‌ପିଙ୍କୁ ସାକ୍ଷାତ କରି ବିଜେପି ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି।

ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କ ଘରକୁ ଯାଇ ବିଜେପିର କର୍ମୀମାନେ ଧମକ ଚମକ ଦେବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସମାୟ ଚରଣ ପୂର୍ତ୍ତି। ବିଜେପିର ଏପରି ଗୁଣ୍ଡାରାଜ ବିରୋଧରେ ସଦସ୍ୟମାନେ ପୁଲିସ୍‌ ସୁରକ୍ଷା ଲୋଡ଼ିଥିବା କହିଛନ୍ତି ଶ୍ରୀ ପୁର୍ତ୍ତି। ଏପରି ସ୍ଥିତିରେ ବିଜେପିରୁ ଆହୁରି ଅନେକ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ଦେବ‌େ ବୋଲି ଶ୍ରୀ ପୁର୍ତ୍ତି କହିଛନ୍ତି। ଏପଟେ ବିଜେପି ଦାବି କରିଛି ଯେ ଦଳକୁ ୮ ଜଣ ସଦସ୍ୟ ଫେରିସାରିଲେଣି। ଏସ୍‌ପିଙ୍କୁ ସାକ୍ଷାତ କରି ସୁରକ୍ଷା ଲୋଡ଼ିଥିବା ଏବଂ ବିଜେପିକୁ ଫେରିଥିବା ପ୍ରେସ୍‌ ବିଜ୍ଞପ୍ତି ଉଭୟରେ ଅଜିତ କଣ୍ଡେଇ ରହିଛନ୍ତି। ତେଣୁ କିଏ କଣ କହୁଛି ଏବଂ କିପରି ଆଚରଣ କରୁଛି ତାହା ଠଉରାଇବା ମୁସ୍କିଲ୍‌ ହୋଇପଡ଼ିଥିବା ରାଜନୈତିକ ବିଶ୍ଳେ‌ଷକମାନେ ମତବ୍ୟକ୍ତ କରିଛନ୍ତି। ଏହା ଜିଲ୍ଲାରେ କେବଳ ଯାହା ରାଜନୈତିକ ହଟଚମଟ ସୃଷ୍ଟି କରୁଛି ବୋଲି ଚର୍ଚ୍ଚା ହେଉଛି।

ତେବେ ମିଳିଥିବା ସୂଚନା ଅନୁସାରେ ବିଜେପିରୁ ଆଉ କିଛି ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଦଳ ଛାଡ଼ିପାରନ୍ତି ବୋଲି ଜଣାପଡ଼ିଛି। ଏପରିକି ଏଥର ଇସ୍ତ‌ଫା ଦେଇଥିବା ନିର୍ବାଚିତ ପ୍ରତିନିଧିମାନେ ଯେପରି ଆଉ ପୁନର୍ବାର ବିଜେପିକୁ ନଫେରନ୍ତି ସେନେଇ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ନେପଥ୍ୟରେ ବିଜେଡି ସବୁକୁ ନିୟନ୍ତ୍ରଣ କରୁଥିବାବେଳେ ଏପରି ରାଜନୈତିକ ଅସ୍ଥିରତା ଉଭୟ ଦଳ ପାଇଁ କଣ ଲାଭ ଦେଉଛି ତାହା ଆଗାମୀ ସମୟରେ ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।

The post ବିଜେପିରୁ ୧୫ ଜିଲ୍ଲା ପରିଷଦ ଇସ୍ତଫା ଦେବା ପ୍ରସଙ୍ଗ: ଜିଲ୍ଲାରେ ଥମୁନି ରାଜନୈତିକ ହଟଚମଟ first appeared on Sambad.

from ରାଜନୀତି | Sambad https://ift.tt/3mM3YOI